ବାଲିଘାଟରେ ଏସ୍‌ଟିଏଫ୍‌ ଚଢ଼ାଉ

ଦେବଗଡ଼,୨୨।୪(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ଘଟଣାରେ ବାରକୋଟ ତହସିଲ ପକ୍ଷରୁ ୩ ଲକ୍ଷ ୨୬ ହଜାର ୬ ଶହ ଟଙ୍କା ଜରିମାନା କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସିଂଶାଲରୁ ୭ ଓ ସିଙ୍ଗୁରି ବାଲିଘାଟରୁ ୩ ମୋଟ ୧୦ ହାଇୱା ଜବତ କରାଯିବା ସହ ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍‌ ।

ଅନ୍ୟପକ୍ଷେ ବାଲି ଟ୍ରକ ଧକ୍କାରେ ଏସ୍‌ଟିଏଫ୍‌ର ଗାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି। ବାରକୋଟ ଥାନାରେ ତହସିଲଦାର ତାପସ ଭୋଇ ପହଞ୍ଚି ଯାଞ୍ଚ କରି ଜରିମାନା କରିଥିବା ବେଳେ ଏସଟିଏଫ୍‌ର ଚଢ଼ାଉ ବାଲିମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ତେବେ ତହସିଲ କାର୍ଯ୍ୟାଳୟ ନାକ ତଳେ ବେଆଇନ ଭାବେ ସରକାରୀ ରାଜସ୍ବ ହରିଲୁଟ ହେଉଥିବା ବେଳେ ତହସିଲ କର୍ତ୍ତୃପକ୍ଷ ଜାଣି ନ ପାରିବା ଏବଂ ବେଆଇନ ବାଲି ଗଚ୍ଛିତ ଓ ରାଜସ୍ବ ଲୁଟ ସୂଚନା ପାଇ ଭୁବନେଶ୍ୱରରୁ ଏସ୍‌ଟିଏଫ୍‌ ଚଢ଼ାଉ କରିବା ତହସିଲ କାର୍ଯ୍ୟଳୟର କାର୍ଯ୍ୟ ଦକ୍ଷତା ନେଇ ଜନସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।