Categories: ରାଜ୍ୟ

ବର୍ଷକରେ ୧୩୩ଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ନିଶା କାରବାର, ବନ୍ୟପ୍ରାଣୀ ଚୋରା ଚାଲାଣ, ଜାଲ୍‌ ନୋଟ୍‌ ରାକେଟ ରୋକିବାକୁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଚଳିତ ବର୍ଷ ଏସ୍‌ଟିଏଫ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩୩ ଅପରାଧୀଙ୍କୁ ଗିରଫ କରିଛି। ୭୫ଟି ଆପରାଧିକ ମାମଲାରେ ଗିରଫ ଏହି ଅପରାଧୀଙ୍କ ଘର ଓଡିଶା ସମେତ ରାଜସ୍ଥାନ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ବୋଲି କ୍ରାଇମବ୍ରାଞ୍ଚ୍‌ ଏସଟିଏଫ୍‌ର ବାର୍ଷିକ ରିପୋର୍ଟରୁ ଜଣାପଡିଛି। ୨୨ କେଜି ବ୍ରାଉନସୁଗାର (ଆନୁମାନିକ ମୂଲ୍ୟ ୨୨ କୋଟିରୁ ଅଧିକ), ୨୫୨୪ କେଜି ଗଞ୍ଜେଇର (ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ), ୨୦୨ ଗ୍ରାମ କୋକେନ, ୫୧୭ ଗ୍ରାମ ଅଫିମ ଓ ନଗଦ ୬୫ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ନିଶା ବେପାରୀଙ୍କ ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି।

ଅନ୍ୟପଟେ ୨୨ କେଜି ବ୍ରାଉନସୁଗାର, ୩୮ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଛି ଏସ୍‌ଟିଏଫ୍‌। ସେହିଭଳି ୧୪ କଲରାପତରିଆ ବାଘ ଛାଲ , ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୧୮୯ ଗାଈ, ୧୯୨୦ ବୋତଲ କପ୍‌ସିରଫ ଜବତ ହୋଇଛି। ଏହାସହ ୧୪ଟି ଚୋରା ବନ୍ଧୁକ, ୬୦ଟି ଗୁଳି ଓ ୮ ଟି ମାଗାଜିନ ସହ ୪୭ ଲକ୍ଷ ୪୩ ହଜାର ଟଙ୍କାର ନକଲି ନୋଟ୍‌, ୩୩୮ ଟନ୍‌ କଠିନ ପୋଡା କୋଇଲା, ୭୩୦ ଟନ୍‌ କ୍ରୋମାଇଟ, ୭୨ ଟନ୍‌ କୋଇଲା , ୩୧ ଟନ୍‌ ଅଷ୍ଟ୍ରେଲିଆନ କୋଇଲା ଜବତ କରିବାରେ ସକ୍ଷମ ହୋଇଛି ଏସ୍‌ଟିଏଫ୍‌।

ଅପରପକ୍ଷରେ ଓଡିଶା ପୋଲିସ ୧୧୬୨ କୁଇଣ୍ଟାଲ ଗଞ୍ଜେଇ, ୪୭ କେଜି ବ୍ରାଉନସୁଗାର ଓ ୪୦ ହଜାର କପ୍‌ ସିରଫ ବୋତଲ ଜବତ କରିଛି। ସେହିପରି ୩୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି କରିଛି। ଏହାସହ ୬୫୮ କୁଇଣ୍ଟାଲ ଗଞ୍ଜେଇ ଓ ୨୭ କେଜି ବ୍ରାଉନସୁଗାର ନଷ୍ଟ କରାଯାଇଛି। ସେହିଭଳି ୨୩ ହଜାର ୭୨୪ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଥିବା ଏସ୍‌ଟିଏଫ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।