Categories: ଖେଳ

ସିଡନୀରେ ପନ୍ତଙ୍କ ବ୍ୟାଟିଂ ଗାର୍ଡ ଘୋଡାଇବା ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ସ୍ମିଥ୍‌: କହିଲେ..

ବ୍ରିସ୍‌ବେନ୍‌,୧୩।୧: ଭାରତ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ସିରିଜର ତୃତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟିଂ ଗାର୍ଡକୁ ଗୋଡରେ ଘୋଡାଉଥିବାର ନଜର ଆସିଥିଲେ ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଅଧିନାୟକ ଟିମ୍‌ ପେନ୍‌ ଖେଳାଳିଙ୍କ ସମର୍ଥନ କରିଥିଲେ। ହେଲେ ବେଳକୁ ବେଳ ମାମଲା ବିବାଦ ଆଡ଼କୁ ଯାଉଥିବା ଦେଖି ସ୍ମିଥ୍‌ ନିଜର ସ୍ପଷ୍ଟିକରଣ ଦେଇଛନ୍ତି।

ଚତୁର୍ଥ ଟେଷ୍ଟ ପୂର୍ବରୁ ସ୍ମିଥ୍‌ କହିଛନ୍ତି, ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଛି। ଏଥିପାଇଁ ମୁଁ ନିରାଶ ମଧ୍ୟ ହୋଇଛି। ଖେଳିବା ସମୟରେ କେଉଁଠାରେ ଆମେ ବୋଲିଂ କରୁଛୁ ତାହା ଦେଖିବା ପାଇଁ ମୁଁ ପ୍ରାୟତଃ ସେହିଭଳି କରିଥାଏ। କ୍ରିଜ୍‌ର ମଧ୍ୟଭାଗ ନିରୂପଣ କରିବା ମୋର ଲକ୍ଷ୍ୟ ଥିଲା ଏବଂ ବ୍ୟାଟ୍ସମ୍ୟାନ୍‌ କେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ଜାଣିବା ପାଇଁ ପାଦରେ ଚିହ୍ନ ଦେଉଥିବା ସେ କହିଛନ୍ତି।

ତେବେ ଘଟଣାକୁ ନେଇ କଙ୍ଗାରୁ ଟିମ୍‌ର କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ମଧ୍ୟ ଏହାକୁ ଖରାପ ଭାବନା ବୋଲି କହିଛନ୍ତି। ଜଣେ ଖେଳାଳିଙ୍କ ଖେଳ ପ୍ରତି ଥିବା ଭାବନା ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ। ସ୍ମିଥ୍‌ଙ୍କ ବିଷୟରେ ଏଭଳି ଜିନିଷକୁ ସେ ବିଶ୍ୱାସ କରନ୍ତି ନାହିଁ। ଯିଏ ତାଙ୍କୁ ଜାଣନ୍ତି, ସେ ସବୁବେଳେ ପଡ଼ିଆରେ ସେଭଳି କରନ୍ତି ବୋଲି ଜାଣନ୍ତୁ। ଦଳକୁ ଫେରିବା ପରେ ତାଙ୍କର ଆଚରଣ ଭଲ ରହିଛି।

Share