ଅବହେଳିତ ଅବସ୍ଥାରେ ଷ୍ଟିଲ୍‌ ଓପନ ବୋଟ

କାଏମା,୨୪।୯(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟ କେଲୁଅ ନଦୀକୂଳରେ ପଡ଼ିରହିଛି ମୋଟର ଚାଳିତ ବୋଟ ଏସ୍‌ଓବି(ଷ୍ଟିଲ ଓପନ ବୋଟ)। ଏହା ଅବହେଳିତ ଅବସ୍ଥାରେ ଥିବାରୁ ଗଛଲତା ମାଡ଼ିଗଲାଣି। ଧର୍ମଶାଳା ଅଞ୍ଚଳରେ ଏହା ଏକମାତ୍ର ଷ୍ଟିଲ ଓପନ ବୋଟ ହୋଇଥିବାରୁ ଏହାକୁ ଧର୍ମଶାଳାର ଐତିହ୍ୟ ବୋଟ ମଧ୍ୟ କୁହାଯାଏ। ଏହାର ବିଶେଷତ୍ୱହେଲା ବର୍ଷାଖରା ସବୁ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକମାନଙ୍କ ସୁରକ୍ଷା ଓ ସ୍ଥାନାନ୍ତର କରିବା ପାଇଁ ଏହି ବୋଟକୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡ୍ରାଇଭରଙ୍କ ବ୍ୟବସ୍ଥା କରାଯାଇଥିଲା। ତାଙ୍କ ରହିବା ପାଇଁ ସରକାରୀ ଘର ଦିଆଯାଇଥିଲା। କିନ୍ତୁ କାଳକ୍ରମେ ଏବେ ସେ ସବୁ କିଛି ଦେଖିବାକୁ ମିଳୁନାହିଁ। ଅଣଦେଖାରେ ବହୁଦିନ ଧରି ପଡ଼ି ରହି ରହି ବୋଟର ତଳ ଫୁଟିଯାଇଥିଲା। ସରକାରୀ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ମରାମତି କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେହି ଅବହେଳାର ଆଉଥରେ ପୁନରାବୃତ୍ତି ହେବାକୁ ଯାଉଛି। ତେଣୁ ଐତିହ୍ୟ ବୋଟର ରକ୍ଷଣବେକ୍ଷଣ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।