ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲରେ ସିସିଟିଭି ବ୍ୟବସ୍ଥା ସହ ରାତ୍ର ଜଗୁଆଳି ନିଯୁକ୍ତି କରିବାକୁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି। ୧୯୬୦ ଡିସେମ୍ବର ୧୮ରେ ସ୍ଥାପିତ ଏହି ସ୍କୁଲରେ ୧ମରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବାଲ୍ ବାଟିକାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀ ରହିଥିବାବେଳେ ଶତାଧିକ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସ୍କୁଲରେ ୫ଟି କୋଠରି ଥିଲେ ମଧ୍ୟ ଚାରିପଟେ ପାଚେରି ଅସମ୍ପୂର୍ଣ୍ଣ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ସହଜରେ ପରିସରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି।
ଜୁନ୍ ୧ରେ କେତେଜଣ ଦୁର୍ବୃତ୍ତ ସ୍କୁଲର ତାଲା ଓ କବାଟ ଭାଙ୍ଗି ଏକ ଏଲ୍ଇଡି ଟିଭି, ଏକ ଭେଣ୍ଡର ମେଶିନ, ୨ଟି ସିଲିଂ ପଙ୍ଖା ଓ ୪ ବସ୍ତା ଚାଉଳ ଚୋରି କରି ନେଇଥିଲେ। ଏ ନେଇ ପ୍ରଧାନଶିକ୍ଷକ ତ୍ରିମୁଖ ମୁଣ୍ଡା ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଚୋରି ସାମଗ୍ରୀ ଉଦ୍ଧାର କିମ୍ବା ଦୁର୍ବୃତ୍ତଙ୍କୁ ଗିରଫ କରିପାରି ନାହିଁ। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ସ୍କୁଲ କୋଠରିର ତାଲା ଭାଙ୍ଗି ଭିତରେ ମାଟି ଖୋଳି ରତ୍ନପଥର ଲୁଟ ହୋଇଥିଲା। ସେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ଭାର୍ଗବୀ ଭୋଇ ଥାନାରେ ଅଭିଯୋଗ କରିଥିଲେ। ସେହିପରି ୨୦୧୩ରେ ମଧ୍ୟ ସ୍କୁଲ ପରିସରରେ ମାଟି ଖୋଳି ରତ୍ନପଥର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ଚୋରି ଘଟୁଥିଲେ ମଧ୍ୟ ଦୁର୍ବୃତ୍ତ ଧରା ନ ପଡ଼ିବା ଏବଂ ଚୋରି ସାମଗ୍ରୀ ଉଦ୍ଧାର ନ ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ସ୍କୁଲର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସ୍ଥାପନ, ବାଉଣ୍ଡାରି ପାଚେରି କାମ ସମ୍ପୂର୍ଣ୍ଣ କରିବା ସହ ରାତ୍ର ଜଗୁଆଳି ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କହିଛନ୍ତି। ଏ ନେଇ ସୁବଳୟା ଥାନା ଅଧିକାରୀ ପଞ୍ଚାନନ ନାୟକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।