Categories: ଜାତୀୟ

ଗୋଟିଏ ପରିବାରକୁ ଭାଙ୍ଗି ନ ଦେବା ପାଇଁ ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ

ଗ୍ବାଲିଅର୍‌,୨୭।୨: ଗୋଟିଏ ପରିବାର ଭାଙ୍ଗି ନ ଯିବା ପାଇଁ ଗ୍ବାଲିଅର୍‌ ହାଇକୋର୍ଟ ଏକ ପ୍ରଶଂସନୀୟ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତର ଏକକ ବେଞ୍ଚ୍‌ ନିର୍ଦ୍ଦେଶରେ ଏବେ ଜଣେ ବ୍ୟକ୍ତିଙ୍କୁ ଏକ ମାସ ପାଇଁ ଶ୍ୱଶୂର ଘରେ ରହିବାକୁ ପଡ଼ିବ। ଶ୍ୱଶୁର ଘରେ ରହି ଖିରି-ପୁରୀ ଭଳି ସ୍ବାଦିଷ୍ଟ ଖାଦ୍ୟ ଖାଇବାର ମଜା ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ,ଗ୍ବାଲିଅର୍‌ ସେବା ନଗରର ଜଣେ ମହିଳା ତାଙ୍କ ଦୁଇ ବର୍ଷର ପୁଅକୁ ଫେରାଇ ଆଣିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ସ୍ବାମୀ ବହୁତ ହଇରାଣ କରିବାରୁ ତାଙ୍କୁ ଶାଶୁଘର ଘର ଛାଡିବାକୁ ପଡିଥିଲା। ତାଙ୍କର ଦୁଇ ବର୍ଷର ପୁଅ ଏବେ ସ୍ବାମୀ, ଶାଶୁ ଏବଂ ଦିଅରଙ୍କ ପାଖରେ ଅଛନ୍ତି। ତେଣୁ ତାଙ୍କ ପୁଅକୁ ମା’ଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି।
ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଡକାଇଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ। କୋର୍ଟରେ ଆବେଦନକାରୀ ତାଙ୍କ ପିଲାକୁ କୋଳରେ ନେବାକୁ ହାତ ବଢାଇଲେ କିନ୍ତୁ ପିଲାଟି ମା’ଙ୍କ ନିକଟକୁ ଯିବାକୁ ମନା କରିଦେଲେ। ସ୍ତ୍ରୀଙ୍କ ଅଭିଯୋଗର ଜବାବରେ ସ୍ବାମୀ କହିଛନ୍ତି,ଏକ ବର୍ଷ ପୂର୍ବେ ସେ ଝଗଡା କରି ଘରୁ ପଳାଇ ଯାଇଥିଲେ। ପିଲାକୁମଧ୍ୟ ଛାଡିଦେଇଥିଲେ। ମୁଁ ଏକ ବର୍ଷ ହେବ ପୁଅର ଯତ୍ନ ନେଉଛି। ମୁଁ ମଧ୍ୟ ମୋ ସ୍ତ୍ରୀଙ୍କୁ ସାଙ୍ଗରେ ନେବାକୁ ପ୍ରସ୍ତୁତ ଏବଂ ତା’ର ଯତ୍ନ ନେବି। କିନ୍ତୁ ସ୍ତ୍ରୀ ତାଙ୍କ ସହ ଯିବାକୁ ମନା କରିଦେଇଛନ୍ତି। ଯଦି ସେ ଶାଶୁ ଘରକୁ ଯାଆନ୍ତି ତେବେ ତାଙ୍କୁ ମାଡ ଦିଆଯିବ ବୋଲି ସେ ଆଶଙ୍କା କରୁଛନ୍ତି। କୋର୍ଟ ପରିବାରକୁ ଏକାଠି କରିବା ପାଇଁ ସ୍ବାମୀଙ୍କୁ ଏକ ମାସ ପାଇଁ ଶ୍ୱଶୁର ଘରେ ସ୍ତ୍ରୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଜ୍ୱାଇଁଙ୍କୁ ସ୍ବାଦିଷ୍ଟ ଭୋଜନ ଖୁଆଇବାକୁ ମଧ୍ୟ ଶାଶୁ-ଶ୍ୱଶୁରଙ୍କୁ କୁହାଯାଇଛି।
ମାର୍ଚ୍ଚ ୨୩ରେ ପୁନର୍ବାର ଏହି ପିଟିସନର ଶୁଣାଣି ହେବ। ସ୍ବାମୀ-ସ୍ତ୍ରୀଙ୍କୁ ସେମାନଙ୍କର ଅନୁଭୂତି କୋର୍ଟରେ କହିବାକୁ ପଡ଼ିବ।

Share