ମହାତ୍ମାଙ୍କ ପ୍ରତିମା ଭାଙ୍ଗିଲେ…

ସିଡ୍‌ନୀ,୧୬।୧୧: ଅଷ୍ଟ୍ରେଲିଆର ମେଲବୋର୍ନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗା ଯାଇଛି। ଲୋକାର୍ପିତ ହେବାର ଗୋଟିଏ ଦିନ ପରେ କେତେକ ଅଜଣା ଲୋକ ଏଭଳି କରିଥିବା କୁହାଯାଉଛି। ଏହାକୁ ନେଇ ଅଷ୍ଟ୍ରେଲିଆରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ନୈରାଶ ଖେଳି ଯାଇଛି।

ଏହି ଘଟଣାରେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଶନିବାର ଦିନ ଅଷ୍ଟ୍ରେଲିଆର ମେଲବୋର୍ନରେ ଭାରତ ସରକାରଙ୍କ ଦ୍ୱାରା ଉପହାର ଦିଆଯାଇଥିବା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି। ଏହି କାଂସ୍ୟ ମୂର୍ତ୍ତିର ମୁଣ୍ଡ କାଟିବାକୁ ଚେଷ୍ଟା କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ରୋଭିଲର ମେଲବୋର୍ନ ଉପକଣ୍ଠରେ ଥିବା ଅଷ୍ଟ୍ରେଲିୟ ଇଣ୍ଡିଆନ କମ୍ୟୁନିଟି ସେଣ୍ଟରରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୧୨ ନଭେମ୍ବରରେ ଏହାକୁ ଲୋକାର୍ପିତ କରିଥିଲେ। ଏହି ଘଟଣାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋରିସନ ଏସବିଏସ ନ୍ୟୁଜକୁ କହିଛନ୍ତି ଯେ ଏହି ଘଟଣାରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସାଂସ୍କୃତିକ ସ୍ମାରକୀ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋରିସନ କହିଛନ୍ତି ଯେ ଏଭଳି ଅସମ୍ମାନ କାର୍ଯ୍ୟ ଲଜ୍ଜାଜନକ ଏବଂ ଗଭୀର ନିରାଶାଜନକ। ଏଥିପାଇଁ ଦାୟୀ ଥିବା ଅଜ୍ଞାତ ଅପରାଧୀମାନେ ଅଷ୍ଟ୍ରେଲୀୟ-ଭାରତୀୟ ସମୁଦାୟକୁ ଅପମାନିତ କରିଛନ୍ତି। ଏଭଳି କାର୍ଯ୍ୟ କରିଥିବାରୁ ସେମାନେ ଲଜ୍ଜିତ ହେବା ଉଚିତ। ଏସମ୍ପର୍କରେ ଅଷ୍ଟ୍ରେଲିଆ ଇଣ୍ଡିଆ କମ୍ୟୁନିଟି ଚାରିଟେବୁଲ ଟ୍ରଷ୍ଟର ସଭାପତି ଭାସନ ଶ୍ରୀନିବାସନ କହିଛନ୍ତି ଯେ ଅପରାଧୀମାନେ ଆଇନ ସହିତ ଖେଳିବାକୁ ଚେଷ୍ଟା କରୁଛନ୍ତି। ଭିକ୍ଟୋରିଆରେ ରହୁଥିବା ପ୍ରାୟ ୩୦୦,୦୦୦ ଭାରତୀୟଙ୍କ ପକ୍ଷରୁ ଶ୍ରୀନିବାସନ କହିଛନ୍ତି ଯେ ଏପରି କାର୍ଯ୍ୟ କେବେ ଆଶା କରାଯାଇ ନ ଥିଲା।

ଭିକ୍ଟୋରିଆ ପୋଲିସ କହିଛି ଯେ ଅଜ୍ଞାତ ଅପରାଧୀମାନେ ଗତ ଶୁକ୍ରବାରରୁ ଶନିବାର ମଧ୍ୟରେ ଏହି ପ୍ରତିମୂର୍ତ୍ତିକୁ କାଟିବା ପାଇଁ ଏକ ଧାରୁଆ ଉପକରଣ ବ୍ୟବହାର କରିଥିବା ଜଣାପଡ଼ିଛି। ନୋକ୍ସ କ୍ରାଇମ ଇନଭେଷ୍ଟିଗେସନ ୟୁନିଟର ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଉତ୍ତର କାଲିଫର୍ନିଆର ଡେଭିସ ସିଟିର ସେଣ୍ଟ୍ରାଲ ପାର୍କରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିଲା।

Share