Categories: ଖେଳ

ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୧ (କ୍ରୀଡ଼ା ପ୍ରତିନିଧି) ପଟିଆସ୍ଥିତ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ ରାଜ୍ୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ସ୍ମାରକୀ ମହାନ୍ତି ଚାମ୍ପିୟନ ଏବଂ ୟାସିତା ରାଉତ ରନରଅପ୍‌ ହୋଇଛନ୍ତି। ଜୟଲକ୍ଷ୍ମୀ ସାହୁ ଓ ଆଦ୍ୟାଶା ପଟ୍ଟନାୟକ ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶାର ଏହି ୪ ପ୍ରତିଯୋଗୀ ଆଗାମୀ ଜାତୀୟ ମହିଳା ଚେସ୍‌ରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ମହାରାଷ୍ଟ୍ରର କୋହ୍ଲାପୁରରେ ଜାତୀୟ ଚେସ୍‌ ଡିସେମ୍ବର ୨୬ରୁ ଜାନୁୟାର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ସୁହାନା ଜେନା, ଅଂଶିକା ପାଣ୍ଡେ, ଦୀପ୍ତିମୟୀ ସାହୁ, ଆରୁଷୀ ଶ୍ରୀଚନ୍ଦନ, ଜ୍ୟୋତିକା ସାହୁ ଓ ନୈନିକା ସାହୁ ଟପ୍‌-୧୦ ଫିନିଶ୍‌ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବେଟି ବଚାଓ ବେଟି ପଢ଼ାଓର ଆବାହକ ଆଦିଶା ମହାନ୍ତି ମୁଖ୍ୟ ଅତିଥି ଏବଂ ସାମାଜିକ କର୍ମୀ ବାଦୁଦେବ ଭଟ୍ଟ, ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜ ପ୍ରିନ୍ସିପାଲ ପ୍ରଶାନ୍ତ ରାଉତ, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ମାଷ୍ଟର ଚେସ୍‌ ଫାଉଣ୍ଡେଶନ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ, ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ ବେହେରା, ଟୁର୍ନାମେଣ୍ଟ ଡାଇରେକ୍ଟର ସୁରେଶ ଚନ୍ଦ୍ର ସାହୁ, ମୁଖ୍ୟ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Share