ମହିଳା ସ୍ବାବଲମ୍ବୀ ହେଲେ ରାଜ୍ୟର ବିକାଶ ହେବ: ୫ଟି-ସଚିବ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟଠାରୁ ୧୦ ମିନିଟ୍‌ ବିଳମ୍ବରେ ବାଲେଶ୍ବର ଜିଲା ଖଇରା ବ୍ଲକର କୁପାରୀ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ,ଏସ୍‌ପି ସାଗରିକା ନାଥ ତଥା ଖଇରା ବ୍ଲକ ପ୍ରଶାସନ ତାଙ୍କୁ କୁପାରୀ ହାଇସ୍କୁଲ ପଡିଆରେ ନିର୍ମିତ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ। ପ୍ରଥମେ ବ୍ୟାରିକେଡ୍‌ ନିକଟରେ ସାଧାରଣ ଲୋକଙ୍କ ସହ କରମର୍ଦ୍ଦନ କରି ସମସ୍ତ ଅଭିଯୋଗ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ଆସିଥିବା ବେଳେ ୭ଦିନ ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

 

ଯେଉଁମାନେ ମନ୍ଦିର କିମ୍ବା କମ୍ୟୁନିଟି ସେଣ୍ଟର ପାଇଁ ଅର୍ଥଦାବି କରିଛନ୍ତି, ସେମାନଙ୍କୁ ଅର୍ଥ ନିଶ୍ଚିତ ପ୍ରଦାନ କରାଯିବ ା ହେଲେ ଏହା ଆପଣମାନଙ୍କ ପଇସା ହୋଇଥିବାରୁ ଠିକ୍‌ ଢଙ୍ଗରେ ଉକ୍ତ ଅର୍ଥ ଖର୍ଚ୍ଚ କଲେ ମୁଖ୍ୟମନ୍ତ୍ରୀ ଖୁସି ହେବେ ବୋଲି କହିଥିଲେ। ଏଥିସହ ମିଶନ ଶକ୍ତି ମହିଳାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଗାଁ ମହାଜନଙ୍କ ଶୋଷଣରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ା ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ମହିଳାମାନଙ୍କ କ୍ଷେତ୍ରରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଅର୍ଥ ପ୍ରଦାନ କରାଯାଉଛି। ଏଣୁ ମହିଳା ସ୍ବାବଲମ୍ବୀ ହୋଇ କିଛି ଅର୍ଥ ରୋଜଗାର କଲେ ରାଜ୍ୟର ବିକାଶ ହେବ ବୋଲି ସେ କହିଛନ୍ତି।