Categories: ଖେଳ

ରାଜ୍ୟ ସବ୍‌ଜୁନିୟର ଚେସ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ରାଜ୍ୟ ୧୩ ବର୍ଷରୁ କମ୍‌ (ବାଳିକା ଓ ଓପନ୍‌) ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଆରମ୍ଭ ହୋଇଛି। ରାଜ୍ୟର ୧୬ ଜିଲାରୁ ମୋଟ ୧୨୩ (୩୫ ବାଳିକା ଓ ୮୮ ବାଳକ) ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଓପନ୍‌ ବର୍ଗରେ ଶ୍ରୀହନ ସବତ (୧୫୦୯ ରେଟିଂ) ଏବଂ ବାଳିକାରେ ଅଂଶିକା ପାଣ୍ଡେ (୧୩୨୬) ଟପ୍‌ସିଡ୍‌ର ମାନ୍ୟତା ପାଇଛନ୍ତି।

ଉଭୟ ବିଭାଗରେ ମୋଟ ୬ ରାଉଣ୍ଡ ଲେଖାଏ ଖେଳ ଅନୁଷ୍ଠିତ ହେବ। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନର କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଷୋୟୀ ମୁଖ୍ୟ ଅତିଥି, କୋଷାଧ୍ୟକ୍ଷ ଭବେଶ ମହାନ୍ତି, ମାଷ୍ଟର ଚେସ୍‌ ଫାଉଣ୍ଡେଶନ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ଏବଂ ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିବସ ଶେଷରେ ବାଳିକା ବିଭାଗରେ ୩ ଓ ବାଳକରେ ୧୦ ପ୍ରତିଯୋଗୀ ୩ ପଏଣ୍ଟ ଲେଖାଏ ପାଇ ଅଗ୍ରଣୀ ହାସଲ କରିଛନ୍ତି।

Share