ରୁଷିଆ ପାଇଁ ନିଜର ଏୟାର ସ୍ପେସ୍‌ ବନ୍ଦ କଲା ଆମେରିକା

ଓ୍ବାଶିଂଟନ୍‌,୨।୩: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ୍‌ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ରୁଷିଆର ଅର୍ଥନୀତିକୁ ନଷ୍ଟ କରିବାରେ ପୁଟିନ୍‌ଙ୍କ ବଡ଼ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ୟୁକ୍ରେନ ବିରୋଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବାଇଡେନ ପ୍ରଶ୍ନ ଉଠାଇଛନ୍ତି। ତେବେ ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ ରଖି ବାଇଡେନ ରୁଷିଆ ଉପରେ ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହିକ୍ରମରେ ରୁଷିଆ ପାଇଁ ନିଜର ଏୟାର ସ୍ପେସ୍‌ ବନ୍ଦ କରିଛି ଆମେରିକା। ଏନେଇ ବୁଧବାର ଷ୍ଟେଟ ଅଫ୍‌ ଦ ୟୁନିଅନରେ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଏହା ପୂର୍ବରୁ ନାଟୋର ଅନେକ ଦେଶ ରୁଷିଆ ପାଇଁ ନିଜର ଏୟାର ସ୍ପେସ୍‌ ବନ୍ଦ କରିସାରିଛନ୍ତି। ଇତିମଧ୍ୟରେ ନିଜ ଅଭିଭାଷଣରେ ଜୋ ବାଇଡେନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପକ୍ଷରୁ ରୁଷିଆ ବିରୋଧରେ ସମସ୍ତ ପ୍ରକାର କଟକଣା ଲାଗୁ କରାଯାଇଛି ସତ କିନ୍ତୁ ସେ ନିଜେ ଏହି ଯୁଦ୍ଧରେ ଭାଗ ନେବେ ନାହିଁ। ଆମେରିକୀୟ ସୈନ୍ୟମାନେ ରୁଷିଆ ବିରୋଧରେ ଯୁଦ୍ଧ କରିବେ ନାହିଁ ବୋଲି ସେ ସିଧାସଳଖ ମନା କରିଦେଇଛନ୍ତି। ଏତଦ୍‌ ବ୍ୟତୀତ ନାଟୋ ଉଦ୍ଦେଶ୍ୟରେ ସେ ଏକ ବଡ଼ ବୟାନ ଦେଇଛନ୍ତି। କାହାରିକୁ ନାଟୋର ମାଟିକୁ ଦଖଲ କରିବାକୁ ଦିଆଯିବ ନାହିଁ। ନାଟୋକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରାଯିବ ବୋଲି ବାଇଡେନ କହିଛନ୍ତି।

Share