‘ସହରରେ ଅତ୍ୟାଧୁନିକ ଫିଲ୍ମ ହଲ୍‌ ପ୍ରତିଷ୍ଠା କରାଯାଉ’

ପୁରୀ ଅଫିସ, ୧୮ା୧: ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଙ୍ଗଳବାର ପୁରୀ ଟାଉନ ହଲରେ ପ୍ରଦର୍ଶିତ ହୋଇଛି। ଏହାକୁ ମାତ୍ର ୧୦୦ ଟଙ୍କାରେ ଦର୍ଶକମାନେ ଉପଭୋଗ କରିଛନ୍ତି। ପୂର୍ବରୁ ପୁରୀରେ ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ନିଶୁଳ୍କ ଶୋ’ କରାଯାଇଥିଲା। ତେବେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀର ଯୁବ ଅଭିନେତା ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁଣି ପ୍ରଦର୍ଶନ କରାଯାଉଛି। ଦିନକୁ ୩ଟି ହିସାବରେ ୩ଦିନ ଅର୍ଥାତ ୧୯ ତାରିଖ ଯାଏ ମୋଟ ୯ଟି ଶୋ’ ପ୍ରଦର୍ଶନ ହେବ। ମଙ୍ଗଳବାର ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ପୁରୀରେ ଏକ ଅତ୍ୟାଧୁନିକ ତଥା ମଲ୍ଟିପ୍ଲେକ୍ସ ସିନେମା ହଲ ପ୍ରତିଷ୍ଠା ନିମନ୍ତେ ଦର୍ଶକମାନେ ଦାବି କରିଛନ୍ତି।
ଦର୍ଶକ ଉର୍ମିଳା ସ୍ବାଇଁଙ୍କ ସମେତ ଅନେକ ସିନେପ୍ରେମୀ କହିଛନ୍ତି, ବାତ୍ୟା ଫନୀ ପରେ ପୁରୀ ସହରର ସିନେମା ହଲଗୁଡ଼ିିକ ପ୍ରାୟ ଅଚଳ ହୋଇପଡ଼ିିଥିବାରୁ ଲୋକେ ଚଳଚ୍ଚିିତ୍ର ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। ଏବେ ଦୀର୍ଘଦିନ ପରେ ଫିଲ୍ମ ଦେଖିବାର ସୁଯୋଗ ପାଇଲୁ। ପୁରୀରେ ଉନ୍ନତ ମାନର ସିନେମା ହଲ ପ୍ରତିଷ୍ଠା କରାଯାଉ। ସେହିପରି ମୋନାଲିସା ମଲ୍ଲିକ କହିଛନ୍ତି, ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ ଦୂର କରିବାରେ ଫିଲ୍ମଟି ସହାୟକ ହେବ। ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମାଞ୍ଚଳରେ ଏହାକୁ ପ୍ରଦର୍ଶନ କରାଗଲେ ଲୋକେ ସଚେତନ ହୋଇପାରିବେ। ପୁରୀରେ ଭଲ ସିନେମା ହଲ ନାହିଁ କହିଲେ ଚଳେ। ତେଣୁ ପ୍ରଶାସନ ଅତ୍ୟାଧୁନିକ ସିନେମା ହଲ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେବା ଉଚିତ। ସାମାଜିକ କର୍ମୀ ନିହାରିକା ତ୍ରିପାଠୀ କହିଛନ୍ତି, କଳା ଓ କଳାକାରଙ୍କ ଭୂମି ହେଉଛି ପୁରୀ। ତେବେ ଏଠାରେ ଭଲ ଚଳଚ୍ଚିତ୍ର ପ୍ରେକ୍ଷାଳୟ ନ ଥିବା ଦୁଃଖର ବିଷୟ। ସରକାର ତୁରନ୍ତ ମଲ୍ଟିପ୍ଲେକ୍ସ ସିନେମା ହଲ ନିର୍ମାଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ।