ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ମଙ୍ଗଳବାରଠାରୁ ୧୦ ଦିନବ୍ୟାପୀ ରାଜ୍ୟ (ସମ୍ଭାଗ) ସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ଏବଂ ଷଷ୍ଠୀ ପ୍ରସାଦ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଆୟୋଜିତ ଶିବିର ଉଦଘାଟନୀ ସଭାରେ ଶିକ୍ଷା ବିକାଶ ସମିତିର ସମ୍ପାଦକ ଡ. କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ଫାର୍ମାସି କାଉନସିଲ ମୁଖ୍ୟ ପଦ୍ମଚରଣ ବେହେରା, ବର୍ଗ ପ୍ରମୁଖ ଆଶିଷ କୁମାର ରଥ, ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ, ସମ୍ପାଦକ ପ୍ରହଲ୍ଲାଦ ଡାକୁଆ, ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ, ସଂକୁଳ ବିଭାଗୀୟ ଜିଲା ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ପଦ୍ମନାଭ ସାମଲ, ଅରୁଣ ବାଗ, କୈଳାସ ଚନ୍ଦ୍ର ମିଶ୍ରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କ ପଞ୍ଚପଦୀ ଶିକ୍ଷଣ, ଛାତ୍ରୀଛାତ୍ରଙ୍କ ଶୃଙ୍ଖଳା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭା, ବ୍ୟକ୍ତି ବିକାଶରେ ଆଚାର୍ଯ୍ୟା ଆଚାର୍ଯ୍ୟମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଅଧୀନ ୯ ଟି ସମ୍ଭାଗରୁ ସମୁଦାୟ ୧୪୦ ଜଣ ଆଚାର୍ଯ୍ୟା ଆଚାର୍ଯ୍ୟଙ୍କୁ ୨୦ ଜଣ ପ୍ରଶିକ୍ଷକ ଓ ଶିକ୍ଷା ବିକାଶ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ବୃନ୍ଦ ତାଲିମ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। ଦିଗପହଣ୍ଡି ସରସ୍ବତୀ ବିଦ୍ୟାମନ୍ଦିର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ବୃନ୍ଦ ଏବଂ ବରିଷ୍ଠ ଆଚାର୍ଯ୍ୟା ଆଚାର୍ଯ୍ୟ ବୃନ୍ଦ ଉପସ୍ଥିତ ରହିସ୍ କାର୍ଯ୍ୟକ୍ରମ ପରିଚାଳ ପରିଚାଳନାରେ ସହଯୋଗ କରିଥିଲେ।