ଧିମେଇଛି ଅପରେଶନ ମୁସ୍କାନ, ପରୀ

ପୁରୀ ଅଫିସ,୧୭।୧୦: ରାଜ୍ୟରେ ଯେପରି କେହି ଶିଶୁ ଶ୍ରମିକ ନ ରହିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ମୁସ୍କାନ ଓ ପରୀ ଯୋଜନା ହାତକୁ ନିଆଯାଇଛି। ହେଲେ ଏହି ଯୋଜନା ପୁରୀ ଜିଲାରେ ଧିମେଇ ଯାଇଥିବା ନଜରକୁ ଆସିଛି। ପୁରୀ ସହର ସମେତ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ନାବାଳକ ଓ ନାବାଳିକାମାନେ ଦୀପ ଓ ବିଭିନ୍ନ ପୂଜା ସାମଗ୍ରୀ ବିକ୍ରି କରୁଛନ୍ତି। ମାତ୍ର ଏଥିପ୍ରତି ଜିଲା ଶିଶୁ ସୁରକ୍ଷା ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ ତୁରନ୍ତ ଶିଶୁ ସୁରକ୍ଷା ଟିମ୍‌କୁ ପଠାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଅନେକ ପିଲା ନିଜ ପରିବାର ସଦସ୍ୟଙ୍କ ସହ ଆସି ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଓ ବଳିତା ଇତ୍ୟାଦି ବିକ୍ରି କରିଥାନ୍ତି। ଶିଶୁ ସୁରକ୍ଷା ଟିମ୍‌ ସେମାନଙ୍କ ପରିବାର ଲୋକଙ୍କୁ ପଚାରିଲେ ସେମାନେ ଘରେ ପିଲାଙ୍କୁ ଛାଡ଼ି ଆସିପାରିବେ ନାହିଁ ବୋଲି କହିଥାନ୍ତି। ଏପରିକି ତାଙ୍କ ପିଲାମାନେ କୌଣସି ଶ୍ରମ କରୁନାହାନ୍ତି ବୋଲି ଯୁକ୍ତି ଦର୍ଶାଇ ଥାଆନ୍ତି। ଏ ନେଇ ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, ସମ୍ପୃକ୍ତ ପିଲାଙ୍କର ମାତାପିତାଙ୍କ ସହିତ ଶିଶୁ ସୁରକ୍ଷା ଟିମ୍‌ ଆଲୋଚନା କରି ଶିକ୍ଷା, ଖାଦ୍ୟ ଓ ସ୍ବାସ୍ଥ୍ୟ ଦାୟିତ୍ୱ ନେଇପାରିବ। ଏଭଳି ହୋଇପାରିଲେ ଅନେକ ଶିଶୁ ନିଜ ମୌଳିକ ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ। ଅନ୍ୟପକ୍ଷେ କରୋନା ପ୍ରଭାବରେ ବଜାର ବନ୍ଦ ହେବା ଯୋଗୁ ଶିଶୁଙ୍କୁ ରାସ୍ତାରେ ଦେଖିବାକୁ ମିଳୁ ନ ଥିଲା। ମାତ୍ର ବଜାର ସ୍ବାଭାବିକ ହେବା ପରେ ପୁଣି ଶିଶୁଶ୍ରମ ଚାଲିଛି। ବିଭିନ୍ନ ହୋଟେଲରେ ପିଲା କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସୁରକ୍ଷା ଓ ଅଧିକାର ଦେବା ଆବଶ୍ୟକତା ରହିଛି। ସେହିଭଳି ନାବାଳିକାଙ୍କ ବିରୋଧରେ ଅସଦାଚରଣ, ଯୌନ ଶୋଷଣ ଭଳି ଅପରାଧକୁ ରୋକିବା ପାଇଁ ସରକାରଙ୍କ ଯୋଜନାରେ ଜିଲା ଶିଶୁ ସୁରକ୍ଷା ଟିମ୍‌ ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା କଥା। ସେହିଭଳି କୌଣସି କାର୍ଯ୍ୟକ୍ଷେତ୍ରରେ ନାବାଳକଙ୍କୁ ଶୋଷଣ କିମ୍ବା ଅତ୍ୟାଚାର କରାଯାଉଥିଲେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଚଳିତମାସରେ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଓ ପୁରୀ ସଦର ଅଞ୍ଚଳରେ ନାବାଳିକାଙ୍କ ସହ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଦାଖଲ ସତ୍ତ୍ୱେ ଜିଲା ପ୍ରଶାସନ ଚୁପ ବସିଛି। ଏବେ ବି ଶିଶୁଙ୍କ ଅଧିକାରକୁ ନେଇ ଅନେକ ଅଭିଭାବକ ଓ ଜନସାଧାରଣ ସଚେତନ ନୁହଁନ୍ତି। ତେଣୁ ସଚେତନତା ସୃଷ୍ଟି ସହ ଆନୁଷଙ୍ଗିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ଜୟନ୍ତ ଦାଶ କହିଛନ୍ତି।