ଆସନ୍ତାକାଲି ରାଜ୍ୟରେ ଖୋଲିବ ଅଙ୍ଗନଓ୍ବାଡି-ପ୍ରାଥମିକ ସ୍କୁଲ

କୋଲକାତା,୧୫।୨: ଦେଶରେ କରୋନା ମାମଲା ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ଏବେ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୬ରୁ ରାଜ୍ୟରେ ପୁଣିଥରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ ବୋଲି ଘୋଷଣା କରାଯାଇଛି। ମଙ୍ଗଳବାର ରାଜ୍ୟସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, ଶିକ୍ଷା ବିଭାଗ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଏସ୍‌ଓପି ଜାରି କରିବେ। ଯାହାଦ୍ୱାରା ସ୍କୁଲରେ କୋଭିଡ ପ୍ରୋଟୋକଲଗୁଡ଼ିକୁ କଡ଼ା ଭାବେ ପାଳନ କରାଯାଇପାରିବ। ଏଥିସହ ପଶ୍ଚିମବଙ୍ଗ ସରକାର ଏକୀକୃତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) କେନ୍ଦ୍ର ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଏହି କେନ୍ଦ୍ରଗୁଡିକ ଅଙ୍ଗନୱାଡି କେନ୍ଦ୍ର ଭାବରେ ମଧ୍ୟ ଜଣାଶୁଣା। ଏଥିରେ ୬ ବର୍ଷରୁ କମ୍‌ ପିଲା ଏବଂ ସେମାନଙ୍କ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷା, ଟିକାକରଣ ଓ ସ୍ବାସ୍ଥ୍ୟ ଯାଞ୍ଚ ଇତ୍ୟାଦି ସେବା ପ୍ରଦାନ କରାଯାଇଥାଏ।

 

Share