ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ପଡିବ ତାଲା

ଭୁବନେଶ୍ୱର,୩୧।୮(ବ୍ୟୁରୋ)-ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସେପ୍ଟେମ୍ବର ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକ ଡାଉନ ଜାରି ରହିବ। ତେବେ ରାଜ୍ୟରେ ଲାଗୁ ହେଉଥିବା ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ ଆଉ ଲାଗୁ ହେବ ନାହିଁ। ସେହିପରି କଣ୍ଟେନମେଣ୍ଟ ଜୋନ ବାହାରେ ଜିଲା, ସବଡିଭିଜନରେ ଲାଗୁ ହେବନି ଲକ ଡାଉନ। ସେପ୍ଟେମ୍ବର ୩୦ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ପୂର୍ବପରି ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡିଟୋରିୟମ, ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ମିଳିବ। ଅନଲାଇନ ପାଠପଢା ଚାଲୁ ରହିବ ଏବଂ ଡିଷ୍ଟାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ବୋଲି ଅନୁମତି ଦିଆଯାଇଛି।