ଦାରିଙ୍ଗବାଡ଼ି, ୧୪।୧୧ (ଅରୁଣ ସାହୁ):୨୦୨୭ ମସିହାରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ବଚ୍ଛ, ଅଦ୍ୟତନ ଓ ନାଗରିକ କୈନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଚାଲିଥିବା ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ କନ୍ଧମାଳ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ କୁମାର ସ୍ବାଇଁ। ଶୁକ୍ରବାର ସେ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସହ ବିଭିନ୍ନ ପଞ୍ଚାୟତକୁ ଯାଇ ସର୍ବେକ୍ଷଣ କାର୍ଯ୍ୟର ଯାଞ୍ଚ କରିଥିଲେ।
ମନୋଜ କୁମାର ସ୍ବାଇଁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ବିଡିଓ ପ୍ରୀତିରଞ୍ଜନ ରଥ, ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା ଏବଂ ବ୍ଲକର ୨୫ଟି ପଞ୍ଚାୟତରେ ଭୋଟର ତାଲିକା ସର୍ବେକ୍ଷଣ ଦାୟିତ୍ୱରେ ଥିବା ସୁପରଭାଇଜରମାନଙ୍କ ସହ ଆଲୋଚନା କରିଥିଲେ। ଘରକୁ ଘର ବୁଲି ଚାଲିଥିବା ସର୍ବେକ୍ଷଣ କାର୍ଯ୍ୟର ଅଗ୍ରଗତି ଓ ସଠିକତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଏହାପରେ ପର୍ଯ୍ୟବେକ୍ଷକ ବିଭିନ୍ନ ପଞ୍ଚାୟତକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ। ସର୍ବେକ୍ଷଣ କାର୍ଯ୍ୟ କିଭଳି ଚାଲିଛି ତାହା ଯାଞ୍ଚ କରିବା ସହ ସିଧାସଳଖ ଭୋଟରଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ପର୍ଯ୍ୟବେକ୍ଷକ ଶ୍ରୀ ସ୍ବାଇଁ କହିଥିଲେ, ଭୋଟର ତାଲିକାରେ ସଠିକ ତଥ୍ୟ ସାମିଲ କରିବା ଏବଂ ତାଲିକାକୁ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ବେକ୍ଷଣ ଆରମ୍ଭ ହୋଇଥିଲା। ଏହାର ପ୍ରାରମ୍ଭିକ ସମୟସୀମା ନଭେମ୍ବର ୭ ତାରିଖ ରହିଥିଲା। କିନ୍ତୁ କନ୍ଧମାଳ ଜିଲାରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସର୍ବେକ୍ଷଣର ସମୟସୀମାକୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଦାରିଙ୍ଗବାଡ଼ି ବ୍ଲକ ସମେତ କନ୍ଧମାଳ ଜିଲାର ସମସ୍ତ ବ୍ଲକରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସର୍ବେକ୍ଷଣ କାର୍ଯ୍ୟ ସୁଚାରୁରୂପେ ଓ ସଫଳତାର ସହ ସମ୍ପନ୍ନ ହୋଇଥିବା ସେ ସୂଚନା ଦେଇଥିଲେ। ଏହି ସଫଳତା ପାଇଁ ସେ ଜିଲା ପ୍ରଶାସନ ସମେତ ସମସ୍ତ ବିଡିଓ, ସୁପରଭାଇଜର ଓ ବିଏଲଓମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଗସ୍ତ ସମୟରେ ପର୍ଯ୍ୟବେକ୍ଷକଙ୍କ ସହ ଜି. ଉଦୟଗିରି ବ୍ଲକର ପଞ୍ଚାୟତ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକ ଏବଂ ରାଇକିଆ ବ୍ଲକର ପଞ୍ଚାୟତ ଉନ୍ନୟନ ଅଧିକାରୀ ମହେଶ କୁମାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।