ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ

ଭୁବନେଶ୍ୱର,୨୯।୧(ଅନିଲ ଦାସ): ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହି ନିର୍ବାଚନ ପାଇଁ ଫେବୃଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଫେବୃଆରୀ ୧୬ରେ ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ୨୭ ତାରିଖରେ ଭୋଟ ଗ୍ରହଣ ହେବ । ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ୩ ସଦସ୍ୟ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ଭାଜପାର ଅଶ୍ୱିନୀ ବୈଷ୍ଣବ।
ସୂଚନାଯୋଗ୍ୟ, ଅମର ପଟ୍ଟନାୟକ ବିଜେଡିରୁ ରାଜ୍ୟ ସଭାକୁ ୨୦୧୯ ଜୁନ ୨୯ ତାରିଖରେ ନିର୍ବାଚିତ ହୋଇଥିବା ବେଳେ ପ୍ରଶାନ୍ତ ନନ୍ଦ ୨୦୧୮ଏପ୍ରିଲ ୪ ଏବଂ ଭାଜପାର ଅଶ୍ୱିନୀ ବୈଷ୍ଣବ ୨୦୧୯ ଜୁନ୍‌ ୨୯ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ୩ ନେତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଶେଷ ହେଉଛି।