ଲୋକାୟୁକ୍ତ ଟିମ୍‌ର ତଦନ୍ତ ଆରମ୍ଭ

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୧୪ା୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୮ଟି ୱାର୍ଡରେ ୧୪ଟି ଉନ୍ନୟନ ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଚୌଦ୍ୱାର ସୂଚନାକର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତରେ ଏକ ମାମଲା ଦାଏର କରିଥିଲେ। ଏହି ପରିପେକ୍ଷୀରେ ଗୁରୁବାର ଲୋକାଯୁକ୍ତର ୮ଜଣିଆ ତଦନ୍ତକାରୀ ଟିମ୍‌ ୧୪ଟି ପ୍ରକଳ୍ପ ମଧ୍ୟରୁ ୬ନମ୍ବର ୱାର୍ଡରେ ହୋଇଥିବା ମଶାଣି ପ୍ରାଚୀର, କମ୍ୟୁନିଟି ସେଣ୍ଟର ଏବଂ ତାର ପାଚେରି, ୭ନମ୍ବର ୱାର୍ଡରେ ନିର୍ମାଣ ହୋଇଥିବା କମ୍ୟୁନିଟି ସେଣ୍ଟର, ଠାକୁର ଘର ନିର୍ମାଣ ତଦନ୍ତ କରି ଫେରିଛନ୍ତି। ମିଳିଥିବା ସୂଚାନୁଯାୟୀ ୨୦୧୭-୨୦ ମସିହାରେ କାଉନସିଲ ନ ଥିବାବେଳେ କୋଟିକୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପୌରପାଳିକା ତରଫରୁ କାର୍ଯ୍ୟକାରୀ କରାଯାଇଥିଲା। କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଆର୍‌ଟିଆଇରେ ଚୌଦ୍ୱାର ପୌରପାଳିକାକୁ ତଥ୍ୟ ମାଗିଥିଲେ। ପୌରପାଳିକା ତରଫରୁ ମିଳିଥିବା ତଥ୍ୟ ଉପରେ ମନୋଜ ସନ୍ଦେହ ପ୍ରକଟ କରି ଲୋକାୟୁକ୍ତଙ୍କ ପାଖରେ ୨୦୨୧ରେ ଅଭିଯୋଗ କରିଥିଲେ। ଅଭିଯାଗ ଅନୁସାରେ ଲୋକାୟୁକ୍ତଙ୍କ ତରଫରୁ ଉପ ନିର୍ଦ୍ଦେଶକ ବି.ଏନ.ଆଚାର୍ଯ୍ୟ, ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ମିଶ୍ର, ସୁଶାନ୍ତ ମିଶ୍ର, ୪ ଇଞ୍ଜିନୟର ଓ ପୋଲିସ ଅଧିକାରୀ ସୁନୀଲ ପଟ୍ଟନାୟକ ପ୍ରମୁଖ ଅଭିଯୋଗ ହୋଇଥିବା ୱାର୍ଡଗୁଡିକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ୨୦୧୭ରେ ୬ନମ୍ବର ୱାର୍ଡ ମୁଣ୍ଡମାଳ ମଶାଣି ପ୍ରାଚୀର ପାଇଁ ଆସିଥିବା ୮ଲକ୍ଷ ଟଙ୍କାରେ କୌଣସି ପାଚେରି ନିର୍ମାଣ କରା ନ ଯାଇ ଅନ୍ୟ ଏକ ବାଗେନା ପାଚେରିରେ ଫଳକ ଲଗାଇ କାର୍ଯ୍ୟ ଶେଷ ସୂଚନା ଲେଖାଯାଇଥିବାର ତଦନ୍ତକାରୀ ଟିମ ଦେଖିଥିଲେ। ସେହିପରି କମ୍ୟୁନିଟି ସେଣ୍ଟର ପାଚେରି ଉଦ୍‌ଘାଟନ ପୂର୍ବରୁ ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଥିବାରୁ ସେ ସମୟର ଜେଇଙ୍କ ଉପରେ ଲୋକାୟୁକ୍ତ ଉପନିର୍ଦ୍ଦେଶକ ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଲୋକାୟୁକ୍ତ ଉପନିର୍ଦ୍ଦେଶକ ଆଚାର୍ଯ୍ୟ କହିଛନ୍ତି, ପ୍ରକଳ୍ପ ନିର୍ମାଣ ସମୟରେ ନିମ୍ନମାନର କାମ ହେଇଛି କି ନାହିଁ, ଏସ୍ଟିମେଣ୍ଟ ହିସାବରେ କାମ ହେଇଛି କି ନାହିଁ ତାହା ତଦନ୍ତ କରି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାଖଲ କରିବୁ। ଏଥିରେ ବର୍ତମାନର ର୍ନିବାହୀ ଅଧିକାରୀ ଏବଂ ଜେଇ ସହଯୋଗ କରିଥିବା ବେଳେ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଉପସ୍ଥିତ ଥିଲେ। ପୌରପାଳିକାର ୬ ଓ ୭ନଂ ୱାର୍ଡର ବିଭିନ୍ନ କାର୍ଯ୍ୟ ତଦାରଖ କରିଥିବା ବେଳେ ଅନ୍ୟ କିଛି ୱାର୍ଡରେ ମଧ୍ୟ ଅଭିଯୋଗ ରହିଛି, ଯାହାର ତଦନ୍ତ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି।