ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ ଦେଖିବା ପରେ ଝିଅ ଜଣଙ୍କ ବିବାହ କରିବା ପରିବର୍ତ୍ତେ ତାଙ୍କୁ ଚାକିରି ଅଫର ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।

ଏମିତି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଉଦିତା ପାଲ ନାମକ ଜଣେ ଯୁବତୀଙ୍କ ପାଇଁ ତାଙ୍କ ବାପା ବିବାହ ପ୍ରସ୍ତାବ ଆଣିଥିଲେ। ଉଦିତା ପୁଅର ପ୍ରୋଫାଇଲ ଦେଖିବା ପରେ ତାଙ୍କ କମ୍ପାନୀରେ ଚାକିରି କରିବାକୁ ଅଫର ଦେଇଥିଲେ। ଉଦିତାଙ୍କର ବେଙ୍ଗାଲୁରୁରେ ଷ୍ଟାର୍ଟ ଅପ୍‌ ‘ଫିନ୍‌ଟେକ୍‌’ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀରେ ବରପାତ୍ରଙ୍କୁ ଚାକିରି ଅଫର ଦେଇଥିଲେ। କାରଣ ତାଙ୍କ ପିତା ଉଦିତାଙ୍କ ପାଇଁ ଯେଉଁ ବିବାହ ପ୍ରସ୍ତାବ ଆଣିଥିଲେ ତାହା ଦେଖି ଖୁସି ହୋଇଯାଇଥିଲେ ଉଦିତା। ତେଣୁ ସେ ତାଙ୍କ କମ୍ପାନୀରେ ଚାକିରି ଦେବାକୁ ଚାହୁଁଥିଲେ।

ଏଥିସହିତ ଉଦିତା ଏହି ବିବାହ ପ୍ରସ୍ତାବକୁ ନେଇ ତାଙ୍କ ବାପାଙ୍କ ସହ ହୋଇଥିବା ହ୍ବାଟ୍ସଆପ୍‌ ଚାଟ୍‌କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ତାଙ୍କ ବାପା କହିଛନ୍ତି, ତୁ ଏ କ’ଣ କରିଛୁ? ତୋ’ ପାଇଁ ଯେଉଁ ବିବାହ ପ୍ରସ୍ତାବ ଆଣିଥିଲି ତୁ ତାଙ୍କୁ ଚାକିରି ଅଫର ଦେଇଛୁ। ମୁଁ ଏବେ ସେ ପୁଅର ବାପାଙ୍କୁ କ’ଣ କହିବି। ଏହାର ଜବାବ ମଧ୍ୟ ରଖିଛନ୍ତି ଉଦିତା। ସେ କହିଛନ୍ତି, ବାପା ‘ଫିଟ୍‌ନେକ୍‌’ କମ୍ପାନୀକୁ ୭ ବର୍ଷ ଛୁଇଁଲାଣି। କମ୍ପାନୀର ଯଥେଷ୍ଟ ଅଭିଜ୍ଞତା ରହିଛି। ମୁଁ ଏଥିରେ ଦୁଃଖିତ ବାପା।

ଅନ୍ୟପକ୍ଷରେ ଉଦିତା ଚାକିରି ଅଫର ଦେଇଥିବା ଯୁବକ ବି ମୋଟା ଅଙ୍କର ଦରମା ଦାବି କରିଛନ୍ତି। ସେ ବର୍ଷକୁ ୬୨ ଲକ୍ଷ ଟଙ୍କା ଦରମା ସହ ଅନ୍ୟାନ୍ୟ ପ୍ୟାକେଜ ସୁବିଧା ଯୋଗାଇବାକୁ କହିଛନ୍ତି। ମାତ୍ର ଏଥିରେ ରାଜି ହୋଇନାହାନ୍ତି ଉଦିତା। ସେ ତାଙ୍କର ଏହି ବାର୍ତ୍ତାଳପକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share