ଏହି ତାରିଖରେ ବିବାହ କରିବେ କ୍ରିକେଟର ରିଙ୍କୁ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣପତ୍ର

ଲକ୍ଷ୍ନୌ,୧୪ା୧୧: ଭାରତୀୟ କ୍ରିକେଟ୍‌ ଦଳକୁ ପୁଣି ଫେରିବା ପାଇଁ ଉଦ୍ୟମ ଜାରି ରଖିଥିବା ଷ୍ଟାର୍‌ କ୍ରିକେଟର ରିଙ୍କୁ ସିଂ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର ୪ ତାରିଖରେ ସେ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ । ଏହି ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି।

ବିବାହକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିଙ୍କୁଙ୍କ ପରିବାର ସଦସ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ରିଙ୍କୁଙ୍କ ମା’ ବୀନା ଦେବୀ, ଭାଇ ସୋନୁ ସିଂ ଓ ଭଉଣୀ ନେହା ସିଂ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି । ରିଙ୍କୁ ଓ ପ୍ରିୟାଙ୍କ ବିବାହ ଲକ୍ଷ୍ନୌର ରାମାଡା ହୋଟେଲରେ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ କ୍ରୀଡ଼ା ଜଗତ ସହ ରାଜନୈତିକ କ୍ଷେତ୍ରର ଅନେକ ବଡ଼ ବଡ଼ ହସ୍ତୀ ଯୋଗ ଦେବାର ସମ୍ଭାବନା ରହିଛି।

ଗତବର୍ଷ ଜୁନ୍‌ ୮ ତାରିଖରେ ରିଙ୍କୁ ସିଂ ଓ ପ୍ରିୟା ସରୋଜଙ୍କ ନିର୍ବନ୍ଧ ହୋଇଥିଲା। ଲକ୍ଷ୍ନୌର ଦି ସେଣ୍ଟ୍ରମ୍‌ ହୋଟେଲରେ ପାରମ୍ପରିକ ରୀତିନୀତି ଅନୁସାରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। ଏବେ ପ୍ରାୟ ଦେଢ଼ ବର୍ଷ ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ପ୍ରିୟାଙ୍କ ସହ ନିର୍ବନ୍ଧ ପରେ ଏକ ସାକ୍ଷାତକାରରେ ରିଙ୍କୁ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ଦୁହିଁଙ୍କ ମଧ୍ୟରେ ପରିଚୟ ଆରମ୍ଭ ହୋଇଥିଲା। ଏକ ଫ୍ୟାନ୍‌ ପେଜ୍‌ ଜରିଆରେ ସେ ପ୍ରଥମେ ପ୍ରିୟାଙ୍କ ଫଟୋ ଦେଖିଥିଲେ।

ପ୍ରଥମେ ପ୍ରିୟାଙ୍କ ସହ କଥା ହେବାକୁ ରିଙ୍କୁ ଟିକେ ସଂକୋଚ କରୁଥିଲେ। କିନ୍ତୁ ପ୍ରିୟା ତାଙ୍କ କିଛି ଫଟୋକୁ ଲାଇକ୍‌ କରିବା ପରେ ସେ ତାଙ୍କୁ ମେସେଜ୍‌ କରିଥିଲେ। ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ଧୀରେ ଧୀରେ ନିୟମିତ ଯୋଗାଯୋଗରେ ପରିଣତ ହୋଇଥିଲା। ଏହି ସମ୍ପର୍କ ଏବେ ବିବାହର ରୂପ ନେବାକୁ ଯାଉଛି।

 

Dharitri – Odisha’s No.1 Odia Daily

Share