ନୂଆଦିଲ୍ଲୀ,୨୩।୧୦: ଭାରତ ଏବଂ ଚାଇନା ମଧ୍ୟରେ LAC ଉପରେ ଟେନସନ ପରିସ୍ଥିତି ସୃଷ୍ଟି ହୋଇଛି। ଆଇଟିବିପି ଡିଜି ଶତ୍ରୁଜିତ କପୁର ଏ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ଅନେକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ଜାରି ରହିଛି। ଏହାପୂର୍ବରୁ ଡୋକଲାମରେ ଭାରତ ଏବଂ ଚାଥନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏହି ପୋଷ୍ଟକୁ X ରେ ଶେୟାର କରିଛନ୍ତି।
ଆଇଟିବିପି ଡିଜି ଶତ୍ରୁଜିତ କପୁର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଅନେକ ଥର ଏପରି ପରିସ୍ଥିତି ଉପୁଜିଥିଲା ଯେତେବେଳେ ମୁହାଁମୁହିଁ ଘଟଣା ଘଟିଥିଲା। ସେଠାରେ ଆମର ଶୌର୍ଯ୍ୟ କମାଣ୍ଡୋ ଦଳ ଅଛନ୍ତି, ସେମାନେ ବହୁତ ଭଲ କାମ କରିଛନ୍ତି । ଏହା ମଧ୍ୟ ଏକ ନୂତନ ପଦକ୍ଷେପ ଥିଲା। ଯେହେତୁ ଆମେ ଜାଣୁ ITBP ଏକ ପାର୍ବତ୍ୟ ଗରିଲା ଫୋର୍ସ ଭାବରେ ଆରମ୍ଭ ହୋଇଥିଲା । ଏହା ପରେ ଆମେ ଏକ ପାରମ୍ପାରିକ ଶକ୍ତି ଭାବରେ ଚାଇନା ସୀମାକୁ ନିୟନ୍ତ୍ରଣ କରିଥିଲୁ । ବର୍ତ୍ତମାନ ଗରିଲା ଯୁଦ୍ଧର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଆମକୁ ଏକ ଉଚ୍ଚତା ଶକ୍ତି ଭାବରେ ଆମର ପରିଚୟ ସୃଷ୍ଟି କରିବାକୁ ପଡିବ।
ଜୟରାମ ରମେଶ ‘ଏକ୍ସ’ (X) ରେ ଲେଖିଛନ୍ତି, ‘ଯେଉଁମାନେ ନିଜକୁ ‘ବିଶ୍ୱଗୁରୁ’ ବୋଲି ଦାବି କରନ୍ତି, ସେମାନେ ଚାଇନାକୁ ମନମୁଖୀ କାର୍ଯ୍ୟ କରିବା ପାଇଁ ଖୋଲା ଛାଡ଼ ଦେଇଛନ୍ତି। ଅରୁଣାଚଳ ପ୍ରଦେଶରେ ଚାଇନା ସେନା ସହ ହୋଇଥିବା ସଦ୍ୟତମ ସଂଘର୍ଷ ସମୟରେ ଆଇଟିବିପି (ITBP) ଯବାନମାନେ ଯେଉଁ ପ୍ରଦର୍ଶନ କରିଛନ୍ତି, ତାହାର ପ୍ରଶଂସା ସେହି ବାହିନୀର ମହାନିର୍ଦ୍ଦେଶକ କରିଛନ୍ତିଏବଂ ତାହା ଯଥାର୍ଥ ମଧ୍ୟ। କିନ୍ତୁ, ପ୍ରଧାନମନ୍ତ୍ରୀ ଏହି ସମଗ୍ର ବିଷୟରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି। ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ।’
୨୦୧୭ ମସିହାରେ, ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା, ଯେଉଁଥିରେ ଡୋକଲାମ ଠାରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇ ରହିଥିଲେ। ଯଦିଓ ପରବର୍ତ୍ତୀ ସମୟରେ ପରିସ୍ଥିତି କିଛି ମାତ୍ରାରେ ଶାନ୍ତ ହୋଇଥିଲା, ତଥାପି ପୁନର୍ବାର ଉତ୍ତେଜନା ସୃଷ୍ଟି ହୋଇଛି। ସଂସଦରେ ମଧ୍ୟ ଡୋକଲାମ ପ୍ରସଙ୍ଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା ଏବଂ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।