ବିଭିନ୍ନ ଯୋଜନାର ସମୀକ୍ଷା କଲେ ଷ୍ଟାଣ୍ଡିଂ କମିଟି

ପାରଳାଖେମୁଣ୍ଡି, ୧୧ା୨(ଡି.ଏନ୍‌.ଏ): ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ସବ କମିଟି ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ, ସମବାୟ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛନ୍ତି। କମିଟି ସଦସ୍ୟ ତଥା ବିଧାୟକ ଅରବିନ୍ଦ ଢ଼ାଲି ଓ ସତ୍ୟନାରାୟଣ ପ୍ରଧାନ ସମୀକ୍ଷା କରୁଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଜିଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଉପସ୍ଥିତ ଥିଲେ। ଜିଲାରେ ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତ ହିତାଧିକାରୀଙ୍କୁ ବାଦ, ଗୋଦାମ ଗୃହ, ମିଲର ସଂଖ୍ୟା, ଆରଏମସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାଙ୍କ ଦାରା ଅନୁମୋଦିତ କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସୟଂ ସହାୟିକା ଗୋଷ୍ଠୀ ଉପରେ ସମୀକ୍ଷା କରାଯାଇଛି। ବୈଠକରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଜିଲାରେ ୫ ଲକ୍ଷ ୩୩ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି ସୁୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ନାୟକ (ରାଜସ୍ବ), ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ।