Categories: ଜାତୀୟ

ରାଜସ୍ଥାନରେ ଅଚଳାବସ୍ଥା ଜାରି

ଜୟପୁର,୨୭ା୭(ପି.ଟି.): ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି। ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟ କ୍ୟାବିନେଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏକ ସଂଶୋଧିତ ପ୍ରସ୍ତାବ ଦେଇଛି। ଶନିବାର ରାତିରେ ଉକ୍ତ ପ୍ରସ୍ତାବ ଆସିଥିତ୍ବା ରାଜଭବନ ସୂତ୍ରରୁ ଜଣାପଡିଛି। ତେବେ ପ୍ରସ୍ତାବରେ ଆସ୍ଥାଭୋଟ ସମ୍ପର୍କରେ କିଛି ଲେଖାଯାଇନାହିଁ। କରୋନା ମହାମାରୀ ସମ୍ପର୍କରେ ଆଲୋଚନା ପାଇଁ ଅଧିବେଶନ ଡାକିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧିବେଶନ ଡାକିବା ପାଇଁ ଶୁକ୍ରବାର ପ୍ରସ୍ତାବ ଦେଇଥିଲେ ହେଁ ସେଥିରେ ତାରିଖ ଓ କାରଣ ଉଲ୍ଲେଖ ନ ଥିବାରୁ ରାଜ୍ୟପାଳ ତାହାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ କଂଗ୍ରେସ ବିଧାୟକମାନେ ରାଜଭବନ ପରିସରରେ ୫ ଘଣ୍ଟା ଧାରଣାରେ ବସିଥିଲେ। ଗେହଲଟ କହିଛନ୍ତି, ତାଙ୍କୁ ସମର୍ଥନ ଦେଉଥିବା କେତେଜଣ ବିଧାୟକ ଗୁରୁଗ୍ରାମରେ ବିଦ୍ରୋହୀ କ୍ୟାମ୍ପ୍‌ରେ ରହିଯାଇଛନ୍ତି। ସେମାନେ ଜୟପୁର ଫେରିଲେ ତାଙ୍କ ସମର୍ଥକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଇତିମଧ୍ୟରେ ରାଜସ୍ଥାନ ପ୍ରସଙ୍ଗକୁ ନେଇ କଂଗ୍ରେସ ସୋମବାରଠାରୁ ଭାଜପା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଯୋଜନା କରୁଛି।
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କର ୧୮ ଅନୁଗତ ବିଧାୟକ ବିଦ୍ରୋହ କରିବାରୁ ରାଜସ୍ଥାନ କଂଗ୍ରେସ ସରକାର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ବିଧାନସଭା ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଚାହୁଁଛନ୍ତି। ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଅଧିବେଶନ ଡାକିବାରେ ବିଳମ୍ବ କରୁଥିବା କଂଗ୍ରେସ ରବିବାର ଅଭିଯୋଗ କରିଛି। ରାଜ୍ୟପାଳ ନିଜ ଇଚ୍ଛାରେ କିଛି କରିପାରିବେ ନାହିଁ। କ୍ୟାବିନେଟ ସୁପାରିସ୍‌କୁ ତାଙ୍କୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭି କହିଛନ୍ତି। ଉଦ୍ଦେଶ୍ୟମୂଳକଭାବେ ଅଧିବେଶନ ଡକାଯାଉ ନ ଥିବାରୁ ଏହା ପଛରେ କେନ୍ଦ୍ର ସରକାରର ଶୀର୍ଷ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିବା ନିଃସନ୍ଦେହ ବୋଲି ସେ ଅଭିଯୋଗ କରିଛନ୍ତି।

Share