କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ ପଡୁଛି। ଷ୍ଟାଫ ନର୍ସ ଭଗବତୀ ସିଂଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି। ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୁହାରି ଜଣାଇ ନିରାଶ ହେବା ପରେ ଶେଷରେ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳଙ୍କୁ ଲିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି। ପୂର୍ବରୁ ସେ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଏପରି କି ଜଣେ ଅଧିକାରୀ ତାଙ୍କୁ ଲାଞ୍ଚ ମାଗିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ସରକାରୀ ନିୟମ ଅନୁଯାୟୀ କ୍ୱାର୍ଟର୍ସ ଦିଆଯିବ କହି ସିଡିଏମ୍‌ଓ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ।
ଅଭିଯୋଗରେ ଦର୍ଶାଯାଇଛି ଯେ, ଭଗବତୀ ଦିବ୍ୟାଙ୍ଗ ଓ ଅନୁସୂଚିତ ଜାତିର ହୋଇଥିବା ବେଳେ ସେ ୨୦୧୫ରୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି। ସେ କୋଭିଡ୍‌ ଯୋଦ୍ଧା ଭାବେ କରୋନା ଡ୍ୟୁଟିରେ ନିୟୋଜିତ ରହିଛନ୍ତି। କ୍ୱାର୍ଟର୍ସ ପାଇବା ଲାଗି ୨୦୨୦ ଡିସେମ୍ବର ୨୦, ୨୦୨୧ ଏପ୍ରିଲ ୧୨ ଏବଂ ମେ ୧୫ରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ପୁରୁଣା ମେଡିକାଲ କଲୋନିର କ୍ୱାର୍ଟର୍ସ କେବଳ ଷ୍ଟାଫନର୍ସଙ୍କ ଲାଗି ଉଦ୍ଦିଷ୍ଟ। ଅଥଚ ଜଣେ କ୍ଲରିକାଲ ଷ୍ଟାଫଙ୍କୁ କ୍ୱାର୍ଟର୍ସ ଦିଆଯାଇଛି। ଏ ନେଇ ସିଡିଏମ୍‌ଓଙ୍କୁ ଅଭିଯୋଗ ଜଣାଇବାରୁ ଡିଏମଓଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଡିଏମ୍‌ଓ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଏହି ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ଭଗବତୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ସେ କିଛି ଜାଣି ନ ଥିବା ଏବଂ ଅଭିଯୋଗର ତଦନ୍ତ ହେବ ବୋଲି ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି କହିଛନ୍ତି।