କାନାଡାର ଗ୍ରାମୀଣ ଅଞ୍ଚଳରେ ଦୁଇସମ୍ପ୍ରଦାୟ ମଧ୍ୟରେ ଛୁରାମାଡ: ୧୦ ମୃତ, ୧୫ ଆହତ

ଓଟାୱା,୫ ।୯: କାନାଡାର ସକ୍ସେଚେୱାନ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ପୋଲିସ କହିଛି ଜେମ୍ସ ସ୍ମିଥ କ୍ରି ନେଶନ ଓ ସାସ୍କାଟୁନର ଉତ୍ତର-ପୂର୍ବରେ ୱେଲଡନ ଗାଁରେ କିଛି ସ୍ଥାନରେ ଛୁରାମାଡ ହୋଇଛି ।

ଆରସିଏମପି ସକ୍ସେଚେୱାନରେ ଆସିଷ୍ଟାଣ୍ଡ କମିଶନର ରୋଣ୍ଡା ବ୍ଲାକମୋର କହିଛନ୍ତି କେତେଜଣ ଲୋକଙ୍କ ଉପରେ ସନ୍ଦିଗ୍ଧ ବ୍ୟକ୍ତି ଆକ୍ରମଣ କରିଛନ୍ତି । ହେଲେ ଏହା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ବ୍ଲାକମୋର କହିଛନ୍ତି, ଆଜି ଆମ ପ୍ରଦେଶରେ ଯାହା ଘଟିଛି ତାହା ଆଶ୍ଚର୍ଯ୍ୟଜନକ । ୧୩ଟି ସ୍ଥାନରେ ଏଭଳି ଘଟଣା ଘଟିଥିବା ବେଳେ ସବୁ ସ୍ଥାନରେ କିଛି ଲୋକ ମୃତାହତ ହୋଇଛନ୍ତି । ପୋଲିସକୁ ଏ ସମ୍ପର୍କରେ ସକାଳୁ ସକାଳୁ ସୂଚନା ମିଳିବା ଆରମ୍ଭ ହୋଇ ଯାଇଥିଲା । ଦ୍ୱିପ୍ରହର ସୁଦ୍ଧା ଏହାକୁ ନେଇ ପୋଲିସ ଚେତାବନୀ ଜାରି କରିଛି । ଲୋକେ ସୁରକ୍ଷିତ ସ୍ଥାନରେ ରହିବା ସହ ଅଜଣା ବ୍ୟକ୍ତିଙ୍କୁ ଘରେ ପ୍ରବେଶ ଅନୁମତି ନ ଦେବାକୁ ପୋଲିସ କହିଛି ।
ଏହି ଘଟଣାରେ ଏବେ ପୋଲିସ ଦୁଇ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି । ଏମାନଙ୍କ ନାମ ଡାମିଏନ ସାଣ୍ଡରସନ ଓ ମାଇଲେସ ସାଣ୍ଡରସନ । ଉଭୟ ଏକ କଳା ରଙ୍ଗର କାରରେ ବୁଲି ବୁଲି ଏମିତି ଛୁରାମାଡ କରିଛନ୍ତି । ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସର ଆସିଷ୍ଟାଣ୍ଡ ପୋଲିସ କମିଶନର ରୌଣ୍ଡା ବ୍ଲାକମୋର କହିଛନ୍ତି ଏ ସମ୍ପର୍କରେ ସୂଚନା ତାଙ୍କୁ ସକାଳ ପ୍ରାୟ ୫ଟା ୪୦ ରେ ମିଳିଥିଲା । ସମ୍ସୋଚୱାନରେ ଅତିକମରେ ୧୩ଟି ସ୍ଥାନରେ ପୀଡ଼ିତ ମିଳିଥିଲେ ।

Share