ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ

ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ ବାପା ବିପ୍ରଚରଣ ପ୍ରଧାନ ଓ ପୁଅ ଅରୁଣ ପ୍ରଧାନ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଥାନାକୁ ଆଣି ଅଟକ ରଖି କେସ୍‌ ନଂ ୨୫୨/୨୧ ପ୍ରକାରେ ତଦନ୍ତ ଚଲାଇ ଥିବା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ କହିଛନ୍ତି । ପାରିବାରିକ ସମ୍ପତ୍ତିକୁ ନେଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ଭାଇ ବିଜୟ ପ୍ରଧାନଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଏହାକୁ ନେଇ ବିଜୟ ଓ ତାଙ୍କ ସ୍ତ୍ରୀ ଝୁନୁଙ୍କ ସହ ନାବାଳକ ପୁଅ ସଂଘବଦ୍ଧ ଭାବେ ମଙ୍ଗଳବାର ବିପ୍ର ଚରଣଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ନାବାଳକ ଜଣକ ପୂର୍ବ ଯୋଜନା ମୁତାବକ ଭାବେ ଧରିଥିବା ଛୁରିରେ ବଡ଼ବାପା ବିପ୍ରଚରଣ ଓ ଭାଇ ଅରୁଣଙ୍କୁ ଭୁସି ଦେଇଥିଲେ। ଉଭୟଙ୍କୁ ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇ ଦିଆଯାଇଛି।