ଗୋଲ୍ଡେନ୍‌ ଆୱାର୍‌ରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ଘଟଣା ସିଦ୍ଧାନ୍ତଙ୍କୁ ଏସ୍‌ଟିଏର ପ୍ରଶଂସା

ଭୁବନେଶ୍ୱର,୩।୭(ସତ୍ୟଜିତ୍‌ ରାଉତ): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଗୋଲ୍ଡେନ୍‌ ଆୱାର ମଧ୍ୟରେ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରି ଉଦାହରଣ ସୃଷ୍ଟି କରିଛନ୍ତି ସିନେ ତାରକା ତଥା ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୋମବାର ଏକ ଟୁଇଟ୍‌ ମାଧ୍ୟମରେ ସିଦ୍ଧାନ୍ତଙ୍କୁ ପ୍ରଶଂସା କରିବା ସହ ତାଙ୍କ ପରି ଅନ୍ୟମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ନିବେଦନ କରାଯାଇଛି। ଦୁର୍ଘଟଣା ଘଟିଲେ ପଛଘୁଞ୍ଚା ନ ଦେଇ ଅନ୍ୟ କାହାକୁ ଅପେକ୍ଷା ନ କରି ଗୋଲ୍ଡେନ୍‌ ଆଓ୍ବାର ଭିତରେ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ମୂଲ୍ୟବାନ ଜୀବନ ବଞ୍ଚତ୍ୟିବ ବୋଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏସ୍‌ଟିଏ କହିଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ପାହାଳ ଫ୍ଲାଏଓଭର୍‌ ନିକଟରେ ଆଇନଜୀବି ମଦନ ସ୍ବାଇଁ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ବାଇକ୍‌ରେ ଯିବା ସମୟରେ ଏକ ଭ୍ୟାନ୍‌ ପଛରୁ ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ମଦନ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଯାଉଥିବା ସିଦ୍ଧାନ୍ତ ନିଜ ଗାଡ଼ିରୁ ଓହ୍ଲାଇ କାଳବିଳମ୍ବ ନ କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ମଦନଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ମଦନକୁ ପହଞ୍ଚାଇବାରେ ସହଯୋଗ କରି ଉଦାହରଣ ସୃଷ୍ଟି କରିଥିଲେ ସିଦ୍ଧାନ୍ତ।