Categories: ଫୁରସତ

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆକ୍ସନ ମୋଡ୍‌ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍‌ସିବି ପକ୍ଷରୁ ରେଡ୍‌ କରାଯାଇଥିଲା। ପରେ ରିୟାଙ୍କ ଭାଇ ସୌଭିକ ଏବଂ ଅନ୍ୟ ସାଥୀଙ୍କୁ ଗିରଫ କରାଯାଇଥିଲା। ଏସବୁ ମଧ୍ୟରେ ଏନ୍‌ସିବି ଟିମ୍‌କୁ ଲିଡ୍‌ କରୁଥିବା ଆଇଆର୍‌ଏସ୍‌ ଅଫିସର ସମୀର ଓ୍ବାଙ୍ଖଡେ ଚର୍ଚ୍ଚାରେ।

ସମୀର ୨୦୦୮ ବ୍ୟାଚ୍‌ର ଜଣେ ଆଇଆର୍‌ଏସ୍‌ ଅଫିସର। ସେ ପ୍ରଥମେ କଷ୍ଟମ ବିଭାଗରେ କାମ କରୁଥିଲେ। ଭାରତୀୟ ରାଜସ୍ବ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ବମ୍ବେର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଡେପୁଟି କଷ୍ଟମ କମିଶନର ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କର ବଦଳି ଏନ୍‌ସିବିକୁ ହୋଇଛି। ଦୁଇବର୍ଷ ମଧ୍ୟରେ ସେ ୧୭ହଜାର କୋଟି ଟଙ୍କାର ଡ୍ରଗ୍ସକୁ ଜବତ କରିବାରେ ସଫଳ ହୋଇଛନ୍ତି।

ବଲିଉଡ୍‌ର ଅନେକ ପ୍ରମୁଖ ବ୍ୟକ୍ତି, ଯେପରିକି ଅନୁରାଗ କଶ୍ୟପ, ବିବେକ ଓବରୟ, ରାମଗୋପାଳ ବର୍ମାଙ୍କ ଘରେ ସେ ଚଢ଼ାଉ କରିସାରିଛନ୍ତି। ୨୦୧୩ରେ ସେ ମିକା ସିଂହଙ୍କୁ ଅଘୋଷିତ ବିଦେଶୀ ମୁଦ୍ରା ସହ ଧରିଥିଲେ। ସେ ଅଭିନେତ୍ରୀ କ୍ରାନ୍ତି ରେଡ୍‌କରଙ୍କୁ ବିବାହ କରିଛନ୍ତି। ୨୦୧୭ରେ ଉଭୟଙ୍କ ବିବାହ ହୋଇଥିଲା। କ୍ରାନ୍ତିଜଣେ ମରାଠି ଅଭିନେତ୍ରୀ। ପ୍ରକାଶ ଝାଙ୍କ ଚଳଚ୍ଚିତ୍ର ଗଙ୍ଗାଜଳରେ ସେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ।

Share