Categories: ଜାତୀୟ

ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କୁ ମିଳୁନି ଆଶ୍ୱସ୍ତି, ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବେ ନ୍ୟାୟିକ ହେପାଜତରେ

କୋଲକାତା,୧୮ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ଯାଞ୍ଚ ଏବେବି ଜାରି ରହିଛି । ଏହି ମାମଲାରେ ଫସିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳୁନହିଁ । ଉଭୟଙ୍କ ନ୍ୟାୟିକ ହେପାଜତ ବା ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶିକ୍ଷକ ଭର୍ତ୍ତି ମାମଲା ଘୋଟାଲାରେ ଗୁରୁବାର ଉଭୟ କୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା । କୋର୍ଟରେ ହାଜର ହେବା ପରେ ପୁଣିଥରେ ଏମାନଙ୍କ ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ସ୍ପେଶାଲ ପିଏମଏଲଏ କୋର୍ଟ ସ୍କୁଲ ସେବା ଆୟୋଗ ନିଯୁକ୍ତି ଘୋଟାଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିରେ ପଠାଇ ଦେଇଥିଲେ । ଏବେ ପୁଣିଥରେ ଏମାନଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦିଆଯାଇଛି । ସୂଚନା ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ପଚାଉଚରା ସମୟରେ ଅର୍ପିତାଙ୍କ ନିକଟରୁ ଅନେକ ତଥ୍ୟ ମିଳିଛି । ଉଭୟଙ୍କ ପଚରା ଉଚରାର ରେକର୍ଡିଂ ବି କରାଯାଇଛି । ତେବେ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ପାର୍ଥଙ୍କର ବୋଲି ସେ କହିଥିବା ବେଳେ ଅର୍ପିତାଙ୍କୁ ଉକ୍ତ କୋଠରିକୁ ପ୍ରବେଶ ଅନୁମତି ନ ଥିବା ସେ କହିଥିଲେ ।

Share