ଜମ୍ବୁର ସଫଳ ଚାଷୀ ଶ୍ରୀମନ୍ତ: ବାଡ଼ିରେ ଫଳୁଛି ଅଙ୍ଗୁର

ମହାକାଳପଡ଼ା,୨୧ା୫ (ଡି.ଏନ୍‌.ଏ.): ସାଧାରଣତଃ ଥଣ୍ଡା ଜଳବାୟୁରେ ସେଓ, ଅଙ୍ଗୁର, ନାସ୍‌ପାତି, କମଳା, ଲିଚୁ ସମେତ ବିଭିନ୍ନ ଜାତୀୟ ଫଳ ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ। ବିଶେଷକରି ଭାରତର ହିମାଳୟ ପର୍ବତମାଳାର ପାଦଦେଶ ଯଥା ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ଅଞ୍ଚଳରେ ଏହି ଫଳଚାଷ କରାଯାଉଛି। ଅଦ୍ୟାବଧି ଓଡ଼ିଶାର କୋରାପୁଟ, କନ୍ଧମାଳର ଦାରିଙ୍ଗବାଡି ଆଦି ଅଞ୍ଚଳରେ ଏହି ଫଳ ଉତ୍ପାଦନ ହେଉଛି ବୋଲି କୁହାଯାଇଛି। ସେହିପରି ଏହି ଫଳ ବଙ୍ଗୋପସାଗର ତଟଦେଶ ଜମ୍ବୁ ଅଞ୍ଚଳର ଲୁଣି ବାଲି ଢିପରେ ଅଙ୍ଗୁର କୋଳି ଚାରା ରୋପଣ କରାଯାଇ ଚାଷ ହେଉଥିବା ନଜରକୁ ଆସିଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଲୁଣିଆ ଅଞ୍ଚଳ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଜମ୍ବୁ ଗ୍ରାମର ଚାଷୀ ଶ୍ରୀମନ୍ତ ପାହାଡ଼ି (୪୫)ଙ୍କ ବାଡ଼ିରେ ଦେଖିବାକୁ ମିଳିଛି ଅଙ୍ଗୁରଚାଷ। ପାହାଡିଙ୍କର ଅନ୍ୟ ଏକ ପରିଚୟ ରହିଛି ସେ ଜଣେ ସଫଳ ବିଦ୍ୱାନ୍‌ ପଣ୍ଡିତ। ଏହି ଅଞ୍ଚଳର ପୂଜାପାର୍ବଣରେ ଚଣ୍ଡୀପାଠ କରି ବେଶ୍‌ ନାମ କରି ସମସ୍ତଙ୍କର ଆଦରଣୀୟ ପାଲଟିଛନ୍ତି। ପାହାଡି ଏହି ଅଙ୍ଗୁର ଲତା ଚାରା କୋଲକାତାର ଏକ ନର୍ସରୀରୁ ସ୍ବତନ୍ତ୍ର ଭାବେ ଅତି ଯତ୍ନ ସହକାରେ ମଗାଇ ନିଜ ବାଡ଼ିରେ ଚାଷ କରିଛନ୍ତି। ଗୋବର କମ୍ପୋଷ୍ଟ ଖତସାର, ସୋରିଷ ପିଡ଼ିଆ, ଗୋମୂତ୍ରକୁ ମିଶ୍ରଣରେ ପ୍ରୟୋଗ କରି ଚାଷ କରୁଛନ୍ତି। ଏହି ଚାରା ରୋପଣ କରିବାର କିଛି ମାସ ପରେ ଫୁଲ ଫୁଟିବା ସହ ଫଳ ଧରିବା ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନ ଉଠେ, କେବଳ ଥଣ୍ଡା ବା ଭୂମଧ୍ୟ ସାଗରୀୟ ଜଳବାୟୁ ନୁହେଁ, ସମୁଦ୍ର ଲୁଣି ଅଞ୍ଚଳରେ ମଧ୍ୟ ଏହି ଅଙ୍ଗୁର ଚାଷ ହୋଇପାରୁଛି। ଏହି ଅଞ୍ଚଳରେ କେବଳ ଅଙ୍ଗୁର କୋଳି ନୁହେଁ କାଶୀ କୋଳି, ଡ୍ରାଗନ, ଲିଚୁ, ଚେରି କୋଳି ଓ ସେଓ ସମେତ ବିଭିନ୍ନ ଫଳ ଉତ୍ପାଦନ ହେଉଛି। ଏହାର ଉପଯୁକ୍ତ ତାଲିମ ପାଇ ବିଭିନ୍ନ ଜ୍ଞାନ କୌଶଳରେ ଚାଷ କଲେ ଚାଷୀ ସଫଳ ହୋଇପାରିବ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କହିଛନ୍ତି।