ଶ୍ରୀକୃଷ୍ଣାବତାର

ପ୍ରଭୁଙ୍କ ଲୀଳା ଅପାର। ମର୍ତ୍ତ୍ୟରେ ତାଙ୍କ ମାନବରୂପୀ ଆବିର୍ଭାବ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟରେ ଅତି ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି। ଯେଉଁ ଅଦୃଶ୍ୟ ଶକ୍ତି ନିସ୍ତବ୍ଧ ରାତିରେ କାରାଗାରର ଶୃଙ୍ଖଳରୁ ମୁକ୍ତକରି କୃଷ୍ଣଙ୍କୁ ଗୋପପୁରରେ ନେଇ ବଢ଼ାଇଥିଲା, ତାଙ୍କରି ଲୀଳା ଯୋଗୁ କଂସ ଦରବାରରେ ଦର୍ଶନ ମାତ୍ରକେ ମଞ୍ଚରୁ ପଡ଼ି ମାମୁ ମଲା। ନନ୍ଦରାଣୀ ଯଶୋଦାଙ୍କ ବାତ୍ସଲ୍ୟ ମମତା ତାଙ୍କୁ ‘ନନ୍ଦ ସୂତ କଳା କହ୍ନାଇ’ର ପରିଚୟ ଦେଲା। ମହାପ୍ରତାପୀ କଂସ ଯେ କି ନିଜ ପିତାଙ୍କୁ ରାଜ ସିଂହାସନରୁ ବିତାଡ଼ିତ କରି ବନ୍ଦୀ କରି ରଖିଥିଲା, ତା’ର ଦୌରାତ୍ମ୍ୟରୁ ପ୍ରଜାମାନଙ୍କୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଯୁବାବସ୍ଥାରେ ତାକୁ ବଧ କରି ‘ବିନାଶାୟ ଚ ଦୁଷ୍କୃତାମ୍‌’ର ନିଦର୍ଶନ ଦେଖାଇଲେ।
ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ଜନ୍ମର ସ୍ମୃତିରକ୍ଷା ଉତ୍ସବ ପାଳନ ସ୍ବରୂପ ପୂଜା ଅର୍ଚ୍ଚନା ଓ ପିଠାପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। କିନ୍ତୁ ଏହି ବାହ୍ୟ ଉପଚାର ସହିତ ମନରେ ପ୍ରକୃତ କୃଷ୍ଣପ୍ରେମ ଜାଗ୍ରତ କରିବା ତଥା ତାଙ୍କର ଆଧ୍ୟାତ୍ମିକ ଜୀବନ ଚରିତକୁ ବୁଝିବାକୁ ହେଲେ ପୌରାଣିକ କଥାବସ୍ତୁରେ ପ୍ରୟୋଗ ହୋଇଥିବା ସାଙ୍କେତିକ ଭାଷାକୁ ମଧ୍ୟ ବୁଝିବା ଆବଶ୍ୟକ।
କୁହାଯାଇଛି, ଶ୍ରୀକୃଷ୍ଣ ବଂଶୀ ବଜାଉଥିଲେ, ଯାହା ତାଙ୍କ ପ୍ରକାଶ୍ୟ ଲୀଳା ମଧ୍ୟରୁ ଗୋଟିଏ। ଏହାର ତାତ୍ପର୍ଯ୍ୟ ହେଉଛି, ତାଙ୍କ ଶ୍ରୀମୁଖ ଅଧରରୁ ଉଚ୍ଚାରିତ ବାକ୍ୟ ବଂଶୀ ସ୍ବନ ପରି ଏତେ ମଧୁର ଥିଲା ଯେ ସେ ଯୁଆଡ଼େ ଯାଉଥିଲେ ଦିବ୍ୟବାଣୀ ଦ୍ୱାରା ସବୁରି ମନକୁ ମୋହି ନେଉଥିଲେ, ଯାହା ବଂଶୀକୁ ଫୁଙ୍କିଲା ପରି ହୃଦୟ ମଧ୍ୟରୁ ଝଂକୃତ ହୁଏ। ଶ୍ରୀକୃଷ୍ଣ ଜନ୍ମର ଉଦ୍ଦେଶ୍ୟ ମଧ୍ୟ ତାଙ୍କ ନାମରେ ଲୁଚି ରହିଛି, ଯେପରି ‘ଚିକିର୍ଷୟା’। ଅର୍ଥାତ ସେ ଭକ୍ତମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିଲେ ତାଙ୍କ ଅମୃତ ବାଣୀରେ ଓ ନିଜର ଶ୍ୟାମଳ ସୁଦର୍ଶନ ରୂପ ଲାବଣ୍ୟରେ। ଏହା ହିଁ ମୁରଲୀଧର ଶ୍ରୀକୃଷ୍ଣଙ୍କ ଗୁଣାତ୍ମକ ମହିମା। ପୁଣି ତାଙ୍କୁ ଲବଣି ଚୋର କୁହାଯାଏ। ବାଲ୍ୟକାଳରେ ସେ କାଳେ ଘରେ ପଶି ଦହିହାଣ୍ଡି ଭାଙ୍ଗି ଦେଉଥିଲେ ଓ ଲବଣି ଚୋରି କରି ଖାଇ ଦେଉଥିଲେ।
କିନ୍ତୁ ଏହି ଉପମାରେ ଲବଣି ପରି ଦୁନିଆର ସବୁଠାରୁ କୋମଳ ବସ୍ତୁ କୁହାଯାଉଥିବା ମନ ଓ ହୃଦୟକୁ ଚୋରିକରି ଷୌଳକଳାରେ ବିଭୂଷିତ ଶ୍ରୀକୃଷ୍ଣ ନିଜର ମିଷ୍ଟ ଅମାୟିକ ସ୍ବଭାବ ଦ୍ୱାରା ସବୁରି ପ୍ରିୟଭାଜନ ହୋଇଥିଲେ। ତେଣୁ ତାଙ୍କୁ ଯଥାର୍ଥରେ ‘ଚିତ୍ତଚୋର’ ମଧ୍ୟ କୁହାଯାଏ।
ଯିଏ ଧ୍ୟାନ କରେ ନିଜ ଆରାଧ୍ୟ ଦେବତାଙ୍କୁ, ସେ ହେଉଛନ୍ତି ରାଧା। ଏହି ଶବ୍ଦ ‘ଆରାଧନା’ରୁ ଆନୀତ, ଯାହା କୃଷ୍ଣଙ୍କର ଆହ୍ଲାଦିନୀ ଶକ୍ତି। କୃଷ୍ଣ ନାମ ଜପ କରିବାରେ ତାଙ୍କର ପ୍ରଭାବିତ ବ୍ୟକ୍ତିତ୍ୱ ଏପରି ଉଦ୍‌ଭାସିତ ହେଉଥିଲା ଯେ ଯୁଗେ ଯୁଗେ କୃଷ୍ଣଙ୍କ ବିନା ରାଧା ଅଧୀର ଓ ବ୍ୟାକୁଳ। ଶ୍ରୀଚୈତନ୍ୟ କୃଷ୍ଣଙ୍କ ନିକଟରେ ରାଧା ଭାବରେ ନିଜକୁ ସମର୍ପଣ କରି କୃଷ୍ଣ ପ୍ରେମରେ ଉଦ୍‌ବୁଦ୍ଧ ହେବା ପାଇଁ ଭକ୍ତମାନଙ୍କୁ ଉପଦେଶ ଦେଇଥିଲେ। କାରଣ ଭକ୍ତିପୂର୍ଣ୍ଣ ନିବେଦନ ରୂପକ ରାଧାଙ୍କ ଦ୍ୱାରା ଈଶ୍ୱର ପ୍ରାପ୍ତି ସମ୍ଭବ ବୋଲି ସେ କହୁଥିଲେ। ‘ରାଧା’ ଶବ୍ଦର ବ୍ୟାଖ୍ୟା କରି ପଣ୍ଡିତମାନେ କହିଛନ୍ତି, ‘ରାସେ ସମ୍ଭୁୟ ଗୋଲୋକେ ଧା ଦଧାବ ହରେଃ ପୁରଃ।’ ଅର୍ଥାତ୍‌ ‘ରା ଉଚ୍ଚାରଣ କରି ଭକ୍ତମାନେ ଗୋଲକ ଭୁବନକୁ ଦର୍ଶନ କରନ୍ତି ଏବଂ ଧା ଉଚ୍ଚାରଣ ମାତ୍ରେ ଗୋଲୋକ ଅଭିମୁଖେ ଗମନ କରନ୍ତି।’
ତେଣୁ ଶ୍ରୀକୃଷ୍ଣଙ୍କ ସର୍ବୋତ୍କୃଷ୍ଟ ଚରିତ୍ର ହେଉଛି ରାଧା।
ଶ୍ରୀକୃଷ୍ଣ ଜନ୍ମର ଉତ୍ସବ କେବଳ ହିନ୍ଦୁଙ୍କ ପାଇଁ ଆଶୀର୍ବାଦ ନୁହେଁ, ବରଂ ମୁସଲମାନ ସମ୍ପ୍ରଦାୟ ଲାଗି ମଧ୍ୟ କରୁଣାର ଉତ୍ସ ା ପଞ୍ଚମ ଶତାବ୍ଦୀ ହିଜ୍ରିରେ ଜନ୍ମଗ୍ରହଣ କରିଥିବା ଦାଇଲାମୀ ନାମକ ଜଣେ ହଦିସ୍‌ ଲେଖକ ହଜରତ ମୁହମ୍ମଦଙ୍କ ମହାନ୍‌ ଉକ୍ତିକୁ ପ୍ରସିଦ୍ଧ ଭାଷ୍ୟକାର ଇବ୍ନ ଆରବୀଙ୍କଠାରୁ ଉଦ୍ଧାର କରି ନିଜ ପୁସ୍ତକ ‘ଫିର୍‌ଦସୁଲ୍‌ ଅକ୍‌ବର’ରେ ଏହିପରି ଉଲ୍ଲେଖ କରିଛନ୍ତି,‘କା’ନା ଫିଲ୍‌ ହିନ୍ଦେ ନବୀୟନ୍‌ ଅସ୍‌ୱଦହୁଲ୍‌ ଲୌନା ଇସ୍‌ମହୁ କାହିନ୍‌’। ଅର୍ଥାତ୍‌ ହିନ୍ଦୁସ୍ତାନରେ ଜଣେ ମହାନ୍‌ ଅବତାର ଆବିର୍ଭୂତ ହୋଇଥିଲେ, ଯାହାଙ୍କ ଦେହର ବର୍ଣ୍ଣ ଶ୍ୟାମଳ ଏବଂ ତାହାଙ୍କ ନାମ ‘କାହିନ୍‌’ ଅର୍ଥାତ ‘କହ୍ନେୟା’ ବା ‘କୃଷ୍ଣ’ ଥିଲା।
ବିଗତ ୮୦୦ ବର୍ଷ ପୂର୍ବେ ଶ୍ରୀକୃଷ୍ଣଙ୍କ ପାଇଁ ମୁସଲମାନଙ୍କ ମଧ୍ୟରେ ଯେଉଁ ଭାବଧାରା ଉଜ୍ଜୀବିତ ହୋଇଥିଲା, ତାହା ଦାଇଲାମୀଙ୍କୁ ଏହି ପ୍ରସିଦ୍ଧ ହଦିସରେ ଲିପିବଦ୍ଧ କରିବା ପାଇଁ ଗଭୀର ଭାବରେ ଅନୁପ୍ରାଣିତ କରିଥିଲା।
ଦ୍ୱାରିକାଧିପତି ଶ୍ରୀକୃଷ୍ଣ ଗୀତାର ଅଷ୍ଟାଦଶ ଅଧ୍ୟାୟରେ କହିଛନ୍ତି: ‘ଈଶ୍ୱର ସର୍ବ ଭୂତାନାମ୍‌ ହୃଦ୍ଦେଶେଽର୍ଜୁନ ତିଷ୍ଠତି’। ପୁଣି ‘ମାମେକଂ ଶରଣଂ ବ୍ରଜ’ ଅର୍ଥାତ ଈଶ୍ୱର ସର୍ବବ୍ୟାପକ, ସେ ତୁମ ହୃଦୟରେ ବିରାଜିତ। ତାଙ୍କୁ ପାଇବାକୁ ହେଲେ ମୋହରି ଶରଣ ପଶ। ‘ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ।’ ତା’ହେଲେ ଯାଇ ମୁଁ ତୋତେ ସମସ୍ତ ପାପରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରିବି। (ଅଧ୍ୟାୟ ୧୮, ଶ୍ଳୋକ ୬୧-୬୬)

  • ଇଂ. ରୌଶନ୍‌ ଖାନ
    ସହକାରୀ ନିର୍ବାହୀ ଯନ୍ତ୍ରୀ, କେରଙ୍ଗ (ଖୋର୍ଦ୍ଧା) ମୋ: ୯୪୩୭୬୮୪୮୫୯

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri