ଉଦ୍ଧାର ହୋଇପାରୁ ନାହିଁ ଶ୍ରୀଜୀଉଙ୍କ ଭୂସମ୍ପତ୍ତି

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଆସନ୍ତା ଜୁନ ୨୦ରେ ରଥଯାତ୍ରା। ଏହାର ପରଦିନ ଅର୍ଥାତ୍‌ ୨୧ ତାରିଖରେ ଇଚ୍ଛାପୁରସ୍ଥ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ରଥଟଣା ହେବ । ଏହାସହିତ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଦାନବାକ୍ସ ଓ ଅନ୍ୟ ଆୟ ଉତ୍ସରୁ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଆସୁ ନ ଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ଶ୍ରୀଜୀଉଙ୍କ ନୀତିକାନ୍ତି ଉପରେ ପଡିବ ବୋଲି ବହୁ ଶ୍ରଦ୍ଧାଳୁ ଓ ସେବାୟତମାନେ ମତ ଦେଇଛନ୍ତି । ଅପରପକ୍ଷେ ଶ୍ରୀଜୀଉଙ୍କ ଜମି ଜବରଦଖଲରୁ ମୁକ୍ତ ହୋଇ ପାରିଲେ ଏହି ସ୍ଥିତିରେ କିଛି ସୁଧାର ଆସିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ଶ୍ରଦ୍ଧାଳୁ ତଥା ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୧୯୭୪ରେ ରାଜ୍ୟ ଦେବୋତ୍ତର ବିଭାଗ ଆଇନର ଧାରା ୬ ଓ ୭ରେ ୮୬୬.୯୯ ଏକର ଭୂସମ୍ପତ୍ତି ଶ୍ରୀଜୀଉଙ୍କ ନାମରେ ଫଇସଲା ହୋଇଛି  । ଏହି ଫଇସଲା ପରେ ତତ୍କାଳୀନ ସମୟରୁ ଅଦ୍ୟାବଧି ଜମିର ଖଜଣା ଓ ଜଳକର ପୈଠ ହେଉଛି। ତେବେ ଏଥିମଧ୍ୟରୁ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଅଛି  । ମାର୍ଫତଦାରଙ୍କ ନିକଟରେ ଥିବା ୨୩୨ ଏକର ଓ ସିକିମ ପ୍ରଜାଙ୍କ ନିକଟରେ ଥିବା ୧୧୭.୩୫ ଏକର ଜମିରୁ କୌଣସି ଆୟ ଦେବୋତ୍ତର ଟ୍ରଷ୍ଟ ଫଣ୍ଡକୁ ଆସୁନାହିଁ  । ଟ୍ରଷ୍ଟ ବୋର୍ଡ ଅଧୀନ ୧୪୬ ଏକର ଚାଷ ଜମିର ଆୟ ଏହି ମନ୍ଦିର ରୀତିନୀତି ସହ ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳସ୍ଥ ଲଛମନଜୀଉଙ୍କ ମନ୍ଦିର ପାଇଁ ପୃଥକ୍‌ ଭାବେ ବିନିଯୋଗ ହେଉଛି। ୨.୨ ଏକରରେ ଶ୍ରୀଜୀଉଙ୍କ ଦେବସ୍ଥଳ, ୧୦ ଏକରରେ ରଥଦାଣ୍ଡ, ୨ ଏକର ଜମିରେ ଗୋରୁହାଟ (ଅବ୍ୟବହୃତ), ୮ ଏକରର ପୁଷ୍କରଣୀକୁ ବାଦ ଦେଲେ ୧୬୦ ଏକର ପତିତ ଜମିରୁ ଟଙ୍କାଟିଏ ଆୟ ହେଉନାହିଁ । ଶ୍ରୀଜୀଉଙ୍କ ନିଜ ଦଖଲରେ ଥିବା ୧୯୨.୮୬ ଏକର ଚାଷ ଜମିରୁ ମାତ୍ର ୩୫୦ ବସ୍ତା ଧାନ ଆଦାୟ ହେଉଛି । ଏବାବଦରେ ମିଳୁଥିବା ଆୟ ତୁଳନାରେ ସମସ୍ତ ସମ୍ପତ୍ତିର ଖଜଣା ଓ ଜଳକର ଢ଼େର ଅଧିକ ବୋଲି ସେ ମତ ଦେଇଛନ୍ତି । ବୁଦ୍ଧିଜୀବୀ ରାଜେଶ କୁମାର ବେହେରା କହିଛନ୍ତି, ଶ୍ରୀଜୀଉଙ୍କ ପତିତ ଜମି ଉଦ୍ଧାର ପାଇଁ ୨୦୦୭ରେ ତତ୍କାଳିନ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଏକ ନିର୍ଦ୍ଦେଶନାମା ବୈଠକ ପରେ ମିଳିଥିଲା । ତେବେ ଦୀର୍ଘ ୧୩ ବର୍ଷ ହେଲା ଜମିକୁ ଜବରଦଖଲରୁ ମୁକ୍ତ କରାଯାଇ ପାରୁନାହିଁ । ଏଥିପାଇଁ ପ୍ରଶାସନର ଅସହଯୋଗ ଓ ଟ୍ରଷ୍ଟ ବୋର୍ଡର ଉଦାସୀନତା ଦାୟୀ ବୋଲି ବୁଦ୍ଧିଜୀବୀ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି । ସେବାୟତ ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, ଶଶିକାନ୍ତ ସୁଆର ପ୍ରମୁଖ କହିଛନ୍ତି, ଦୈନନ୍ଦିନ ନୀତିକାନ୍ତି, ରଥ ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ବାର୍ଷିକ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ଶ୍ରୀଜୀଉଙ୍କ ରଥଦାଣ୍ଡ, ଭୋଗ ଓ ଦୀପ ଦୋକାନର ନିଲାମ ସହିତ ଶ୍ରଦ୍ଧାଳୁଙ୍କ ଦାନବାକ ଏସବୁ ଖର୍ଚ୍ଚ ପାଇଁ ପର୍ଯ୍ୟପ୍ତ ନୁହେଁ । ପୁରୀ ଶ୍ରୀକ୍ଷେତ୍ର ପରି ତୁଳସୀକ୍ଷେତ୍ରର ଗୁରୁତ୍ୱ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଆବଶ୍ୟକ। ଯାହାଫଳରେ ଶ୍ରୀଜୀଉଙ୍କ ପରିଚାଳନା ସୁରୁଖୁରୁରେ ହୋଇପାରିବ। ଏସମ୍ପର୍କରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଜବରଦଖଲ ଜମିର ଉଦ୍ଧାର ପାଇଁ ପ୍ରକୀୟା ଜାରି ରହିଛି।