Categories: ଜାତୀୟ

୨୧ରୁ ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନ୍‌

ଲକ୍ଷ୍ନୌ, ୨୬ା୫: ଜୁନ୍‌ ୨୧ ତାରିଖରେ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଏକ ୧୮ ଦିନିଆ ସ୍ବତନ୍ତ୍ର ଟ୍ରେନ୍‌ ‘ଶ୍ରୀ ରାମାୟଣ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଜୀବନୀ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଏହି ଟ୍ରେନ୍‌ରେ ଯାଇପାରିବେ। ‘ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌’ ଦ୍ୱାରା ଏହି ରାମାୟଣ ସର୍କିଟରେ ଯାତ୍ରା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି।

ଜୁନ୍‌ ୨୧ରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଦିଲ୍ଲୀ ସଫଦରଜଙ୍ଗ ଷ୍ଟେଶନରୁ ବାହାରିବ ବୋଲି ଲକ୍ଷ୍ନୌ ଆଇଆର୍‌ସିଟିସି ମ୍ୟାନେଜର ଅଜିତ କୁମାର ସିହ୍ନା କହିଛନ୍ତି। ଏଥିରେ ୧୧ ତୃତୀୟ ଶ୍ରେଣୀ ଏସି କୋଚ୍‌ ରହିଥିବାବେଳେ ୬୦୦ ଯାତ୍ରୀ ଏକାଥରରେ ଯାତ୍ରା କରିପାରିବେ। ପ୍ରତି ଯାତ୍ରୀଙ୍କ ପିଛା ୬୨,୩୭୦ ଟଙ୍କା ପଡ଼ିବ। ଜଙ୍ଗଲରେ ୧୪ ବର୍ଷ ବନବାସବେଳେ ଶ୍ରୀରାମ, ଦେବୀ ସୀତା ଏବଂ ଲକ୍ଷ୍ମଣଙ୍କ ପଦଚିହ୍ନ ଥିବା ସ୍ଥାନଗୁଡ଼ିକ ପରିଦର୍ଶନ ନିମନ୍ତେ ଥିବା ଶ୍ରଦ୍ଧାଳୁଙ୍କ ସ୍ବପ୍ନ ପୂରଣ କରିବା ଏହି ଟୁର୍‌ ପ୍ୟାକେଜର ଲକ୍ଷ୍ୟ ବୋଲି ସିହ୍ନା କହିଛନ୍ତି।

ଟ୍ରେନ୍‌ଟି ଅଯୋଧ୍ୟା, ନେପାଳର ଜନକପୁର, ସୀତାମାର୍‌ହି, ବକ୍ସର, ବାରାଣସୀ, ପ୍ରୟାଗରାଜ, ଶ୍ରୀଙ୍ଗଭରପୁର, ଚିତ୍ରକୋଟ, ନାଶିକ୍‌, ହାମ୍ପି, ରାମେଶ୍ୱରମ୍‌, କାଞ୍ଚିପୁରମ୍‌, ଭଦ୍ରାଚାଲମ ଆଦି ସ୍ଥାନକୁ ମିଶାଇ ପ୍ରାୟ ୮,୦୦୦ କିଲୋମିଟର ଯାତ୍ରା କରିବ। ଯାତ୍ରୀମାନେ ଇଏମ୍‌ଆଇ ମାଧ୍ୟମରେ ମଧ୍ୟ ଟଙ୍କା ଦେଇ ଏହି ଟ୍ରେନ୍‌ରେ ଯାଇପାରିବେ।

 

Share