ହଜ୍‌ ଯାତ୍ରା କରିବେନି ଶ୍ରୀଲଙ୍କା ମୁସଲମାନ…

କଲମ୍ବୋ, ୨।୬ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମହିନ୍ଦା ରାଜପକ୍ଷେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଙ୍ଘେ ଦେଶକୁ ଏହି ସଙ୍କଟ ଜନକ ସ୍ଥିତିରୁ ବାହାର କରିବା ପାଇଁ କ୍ରମାଗତ ଭାବରେ ଅନେକ ବଡ଼ ନିଷ୍ପତ୍ତି ନେଉଛନ୍ତି। ଶ୍ରୀଲଙ୍କାର ନାଗରିକମାନେ ମଧ୍ୟ ଏହି ଖରାପ ସ୍ଥିତିରୁ ବାହାରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ।

ଏହି କ୍ରମରେ ଶ୍ରୀଲଙ୍କା ମୁସଲମାନମାନେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶର ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ସେଠାକାର ମୁସଲମାନମାନେ ଚଳିତ ବର୍ଷ ହଜ୍‌ ତୀର୍ଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ସାଉଦି ଆରବ ୨୦୨୨ ବର୍ଷ ପାଇଁ ଶ୍ରୀଲଙ୍କାରୁ ୧୫୮୫ ହଜ ତୀର୍ଥଯାତ୍ରୀଙ୍କ କୋଟା ଅନୁମୋଦନ କରିଥିଲା। ତେବେ ଜାତୀୟ ହଜ କମିଟି, ଶ୍ରୀଲଙ୍କା ହଜ ଟୁର୍‌ ଅପରେଟର୍ସ ଆସୋସିଏଶନ ଓ ମୁସଲିମ ଧାର୍ମିକ ଏବଂ ସାଂସ୍କୃତିକ ବ୍ୟାପାର ବିଭାଗ ସମେତ ଅନ୍ୟାନ୍ୟ ଦଳର ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଶ୍ରୀଲଙ୍କାର କୌଣସି ମୁସଲମାନ ହଜ କରିବେ ନାହିଁ।

Share