ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ ୟୁନିଅନ ଘୋଷଣା କରିଛି। ଏହି ୟୁନିଅନର ଆହ୍ବାନରେ ବିଦ୍ୟୁତଏବଂ ଶକ୍ତି, ଡାକ୍ତରୀ, ବ୍ୟାଙ୍କିଙ୍ଗ ଏବଂ ଅନ୍ୟାନ୍ୟ ପ୍ରମୁଖ ସେବା କର୍ମଚାରୀମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଚାପରେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରିବାକୁ ଧର୍ମଘଟ କରୁଛନ୍ତି।

ଧର୍ମଘଟ ସହ ଜଡିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଟ୍ରେଡ ୟୁନିଅନ କଲେକ୍ଟିଭର ସଂଯୋଜକ ଆନନ୍ଦ ପଲିତା କହିଛନ୍ତି ଯେ ଯଦି ଆୟକର ବୃଦ୍ଧି ଏବଂ ବିଦ୍ୟୁତ ଶୁଳ୍କ ସମେତ ଟିକସ ହ୍ରାସ ନ କରାଯାଏ ତେବେ ଟ୍ରେଡ ୟୁନିଅନ ଏହି ସରକାରଙ୍କ ଭବିଷ୍ୟତ ସ୍ଥିର କରିବେ। ଟ୍ରେଡ ୟୁନିଅନମାନେ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ରାନିଲ ବିକ୍ରମ ସିଂଘେ ସରକାର ସିଲନ ବିଦ୍ୟୁତ ବୋର୍ଡ (ସିଏଫବି) ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ବର୍ତ୍ତମାନ ଏକ ଲାଭଜନକ ସରକାରୀ କ୍ଷେତ୍ର ଅଟେ।

ପଲିତା କହିଛନ୍ତି ଯଦି ସରକାର ଦାବି ପୂରଣ ନ କରନ୍ତି, ତେବେ ମାର୍ଚ୍ଚ ୧୪ ତାରିଖ ମଧ୍ୟରାତ୍ରିରୁ ଟ୍ରେନ ଚଳାଚଳ ବନ୍ଦ ହେବ, ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯିବ, ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବେ ଏବଂ ବିଶ୍ୱବିଦ୍ୟାଳୟ, ଶକ୍ତି ଏବଂ ବ୍ୟାଙ୍କିଙ୍ଗ ଇତ୍ୟାଦି କାର୍ଯ୍ୟ ଠପ୍‌ ହେବ।

ମିଡିଆ ରିପୋର୍ଟ ଅନୁଯାୟୀ, ଅନେକ ପ୍ରଦେଶରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ଏହି କାରଣରୁ ଦେଶର ସମଗ୍ର ସ୍ବାସ୍ଥ୍ୟ ସେବା ଠପ୍‌ ହୋଇ ଯାଇଛି। ଏହି କାରଣରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଏମଏଫ ସର୍ତ୍ତ ଅନୁଯାୟୀ ଡାକ୍ତରମାନେ ବର୍ଦ୍ଧିତ ଟିକସକୁ ବିରୋଧ କରୁଛନ୍ତି। ଡାକ୍ତରଙ୍କ ଆନ୍ଦୋଳନ ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଦେଶରେ ସ୍ବାସ୍ଥ୍ୟ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିଛି।

Share