ଦେଶ ଛାଡିବା ଯୋଜନାରେ ଥିଲେ ରାଷ୍ଟ୍ରପତିଙ୍କ ଭାଇ, ବିମାନବନ୍ଦରରେ ଧରାପଡିଲେ

କଲମ୍ବୋ,୧୨।୭: ଶ୍ରୀଲଙ୍କାର ଅବସ୍ଥା ଅନିୟନ୍ତ୍ରିତ ହେବାରେ ଲାଗିଛି। ଦେଶରେ ଅର୍ଥନୈତିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ତାଙ୍କ ପରିବାରକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ସାନ ଭାଇ ବାସିଲ ରାଜପାକ୍ସେ ଦେଶ ଛାଡିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଥିଲେ।
ବାସିଲ ବିଦେଶ ଯିବା ପାଇଁ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କର୍ମଚାରୀମାନେ ଡ୍ୟୁଟି କରିବାକୁ ମନା କରିଦେଇଥିଲେ। ବିମାନବନ୍ଦର ୟୁନିୟନ ବାସିଲ ରାଜପାକ୍ସେଙ୍କ ବିରୋଧରେ ସ୍ଲୋଗାନ ଦେଇ ଏକ ହଙ୍ଗାମା ସୃଷ୍ଟି କରିଥିଲା। ବାଧ୍ୟ ହୋଇ ବାସିଲଙ୍କୁ ଫେରିବାକୁ ପଡ଼ିଥିଲା।
ବାସିଲ ରାଜପାକ୍ସେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଥିଲେ। ନିକଟରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀଲଙ୍କାରେ ରାଜପାକ୍ସେ ପରିବାର ଉପରେ ଲୋକଙ୍କ ପ୍ରବଳ ରୋଷ ରହିଛି। କୁହାଯାଉଛି, ରାଷ୍ଟ୍ରପତି ଗୋଟାବୟା ରାଜପାକ୍ସେ ଦେଶ ଛାଡି ପଳାଇଛନ୍ତି। କିନ୍ତୁ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବଓ୍ବେର୍ଦ୍ଧେନା ସେ ଦେଶରେ ଥିବା ସୂଚନା ଦେଇଛନ୍ତି।

Share