ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର

କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ ଛାଡିବେ ବୋଲି ଆଶା କରାଯାଉଥିଲା।

ମାତ୍ର ସରକାରଙ୍କ ଅନୁରୋଧ କ୍ରମେ  ସିଙ୍ଗାପୁରରେ ଆଉ କିଛିଦିନ ରହିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ପହଞ୍ଚିବା ପରେ ୧୪ ଦିନିଆ ଯାତ୍ରା ପାସ ପ୍ରଦାନ କରାଯାଇଥିଲା। ୭୩ ବର୍ଷୀୟ ନେତା ସିଙ୍ଗାପୁର ତାଙ୍କୁ ଏକ ‘ବ୍ୟକ୍ତିଗତ ଗସ୍ତ’ରେ ଦେଶ ପ୍ରବେଶ କରିବାକୁ ଅନୁମତି ଦେବା ପରେ ଜୁଲାଇ ୧୪ରେ ସଂସଦର ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ଇମେଲ କରିଥିଲେ।

ରାଜପାକ୍ସେଙ୍କ ବାସଭବନରେ ବିକ୍ଷୋଭକାରୀ ଆକ୍ରମଣ କରିଥିଲେ।
ଜୁଲାଇ ୯ରେ ବିକ୍ଷୋଭକାରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ସାତ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଉପରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନରେ ଆକ୍ରମଣ ହୋଇଥିଲା। ଯାହା ପରେ ରାଜପାକ୍ସେ ଭିଡ଼କୁ ଦେଖି ତାଙ୍କ ବାସଭବନ ଛାଡ଼ି ପଳାଇଥିଲେ।

ଏହା ପରେ ଜୁଲାଇ ୨୧ରେ ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିଆଙ୍କ ଆଗରେ ସଂସଦରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ ରାନିଲ ଓ୍ବିକ୍ରମସିଂଘେ। ଶ୍ରୀଲଙ୍କାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ।

୧୯୪୮ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ସଙ୍କଟ କାରଣରୁ ଇନ୍ଧନ ଅଭାବରୁ ରପ୍ତାନୀ ଶିଳ୍ପ ପ୍ରଭାବିତ ହୋଇଛି। ଲୋକଙ୍କ ସାଧାରଣ ଜୀବନ ଏକ ବଡ଼ସଂଘର୍ଷରେ ପରିଣତ ହୋଇଛି। ଶ୍ରୀଲଙ୍କା ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ପର୍ଯ୍ୟଟନ ଶିଳ୍ପ ପ୍ରଥମେ କରୋନା ମହାମାରୀ ଏବଂ ପରେ ଅର୍ଥନୈତିକ ଅସ୍ଥିରତା ଦ୍ୱାରା ପ୍ରଭାବିତ ହୋଇଥିଲା।

Share