ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ: ଆଳୁ କିଲୋ ୨୦୦, ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା

କଲମ୍ବୋ,୩।୪: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ଲୋକମାନେ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଇତ୍ୟାଦି ମୌଳିକ ସାମଗ୍ରୀ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି। ଯାହା କିଛି ଜିନିଷ ମିଳୁଛି, ତାର ଦର ଆକାଶଛୁଆଁ ରହିଛି। ଏବେ ଶ୍ରୀଲଙ୍କାରେ ଆଳୁ କିଲୋ ୨୦୦ଟଙ୍କା ରହିଥିବାବେଳେ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା ରହିଛି। ଦେଶରେ ପ୍ରେଟ୍ରୋଲ ଏବଂ ଡିଜେଲ ମିଳୁ ନ ଥିବାରୁ କ୍ଷୀର ଯୋଗାଣ ହୋଇପାରୁ ନାହିଁ। ଫଳରେ କ୍ଷୀର ପାଉଡର୍‌ କିଲୋ ୧୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ଚାଉଳ କେଜି ୨୨୦ ଟଙ୍କା ହୋଇଥିବା ବେଳେ ଗହମ କିଲୋ ୧୯୦ ଟଙ୍କା, ଚିନି କିଲୋ ୨୪୦ ଟଙ୍କା, ନଡ଼ିଆ ତେଲ ଲିଟର ପିଛା ୮୫୦ ଟଙ୍କାରେ ବିକ୍ରି ହେଉଛି।
ଦେଶର ଅର୍ଥନୈତିକ ସଙ୍କଟ ଯୋଗୁ ରାଜଧାନୀ କଲମ୍ବୋ ସମେତ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରି ସରକାରଙ୍କ ବିରୋଧରେ ଜନ କ୍ରୋଧ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଏବଂ ଦୀର୍ଘ ବିଦ୍ୟୁତ ସରବରାହ ବନ୍ଦ ପାଇଁ ଲୋକେ ରାଜପକ୍ଷ ଶାସନକୁ ଦାୟୀ କରୁଛନ୍ତି। ସାରା ଦେଶରେ ବ୍ୟାପକ ଅଶାନ୍ତି ଦୂର କରିବା ପାଇଁ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରିଛନ୍ତି। ତେବେ ଶ୍ରୀଲଙ୍କାର ଏପରି ଘଡିଷନ୍ଧି ମୁହୂର୍ତ୍ତରେ ଭାରତ ପୁଣି ସହାୟତା ପଠାଇଛି। ଭାରତ ପକ୍ଷରୁ ଚାଉଳ ଓ ଡିଜେଲ ଶ୍ରୀଲଙ୍କାକୁ ପଠାଯାଇଛି।

Share