କାଙ୍ଗାଳ ହେଲା ସୁନାର ଲଙ୍କା, ସରକାରଙ୍କ ବିରୋଧରେ ବଢୁଛି ବିରୋଧ ପ୍ରଦର୍ଶନ

କଲମ୍ବୋ,୫ ।୪: ସୁନାର ଲଙ୍କା ଏବେ କାଙ୍ଗାଳ ହୋଇଯାଇଛି । ଶ୍ରୀଲଙ୍କା ଉପରେ ଏବେ ଅରବ ଡଲାର ଋଣ ବୋଝ ଥିବାରୁ ସାଧାରଣ ଲୋକେ ମହଙ୍ଗା ମାଡରେ ଅତିଷ୍ଠ ହୋଇପଡିଲେଣି । ଋଣ ପରିଶୋଧ କରିବାକୁ ଶ୍ରୀଲଙ୍କା ନିକଟରେ ଅର୍ଥର ଅଭାବ ଏପଟେ ସାଧାରଣ ସାମଗ୍ରୀର ଆକାଶଛୁଆଁ ଦର ଶ୍ରୀଲଙ୍କାବସୀଙ୍କ ମୁଣ୍ଡ ବିଗାଡି ସାରିଲାଣି । ଏହି ଆର୍ଥିକ ସଙ୍କଟ ମଧ୍ୟରେ ୨୬ ଜଣ ମନ୍ତ୍ରୀ ଏକାଠି ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ରାଜପକ୍ଷ କିନ୍ତୁ ଇସ୍ତଫା ଦେବାକୁ ସ୍ପଷ୍ଟ ମନାକରି ଦେଇଛନ୍ତି । ଏପଟେ ବେଳକୁ ବେଳ ସରକାରୀ ବିରୋଧି ପ୍ରଦର୍ଶନ ବଢିବାରେ ଲାଗିଛି ।
ହସ୍ପିଟାଲରେ ବିଜୁଳୀ ଠପ ହୋଇଯାଇଛି । ଜରୁରୀ ସର୍ଜରୀ ବି କରାଯାଇ ପାରୁନାହିଁ । କାଗଜର ଅଭାବ ଯୋଗୁ ପରୀକ୍ଷା ବନ୍ଦ, ପ୍ରେସ୍ ବନ୍ଦ, ତୈଳ ଅଭାବରୁ ବସ-ଟ୍ରେନ୍ ଠପ । ଇନ୍ଧନ କମ ଯୋଗୁ ଘରେ ଚୁଲି ଜଳିବା ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ଶ୍ରୀଲଙ୍କାରେ ଚୋରି ବଢିବାରେ ଲାଗିଛି । ଏବେ ସେଠାରେ ଚାଉଲ କିଲୋ ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ଗହମ ୨୦୦ ଟଙ୍କା, ଚିନି ୨୫୦ ଟଙ୍କା, ନଡିଆ ତେଲ ୯୦୦ ଟଙ୍କା ମିଲ୍କ ପାଉଡର ୨୦୦୦ ଟଙ୍କାରେ ପହଞ୍ଚିଲାଣି । ଦେଶର ଏଭଳି ସ୍ଥିତି ପାଇଁ ଲୋକେ ସରକାରଙ୍କୁ ଦାୟୀ କରୁଛନ୍ତି ।

Share