ଚା’ କପ୍‌କୁ ୧୦୦, ଲଙ୍କା କିଲୋ ୭୦୦

କଲମ୍ବୋ,୩୧।୩: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଆର୍ଥିକ ଓ ଖାଦ୍ୟ ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ ଭୋକ ଉପସାରେ ରହିବାକୁ ବାଧ୍ୟ ହେଉଛନ୍ତି। ପେଟ୍ରୋଲ ଅପେକ୍ଷା କ୍ଷୀର ସବୁଠାରୁ ମହଙ୍ଗା ହୋଇଛି। ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୫୪ ଟଙ୍କା ଥିବା ବେଳେ ଏକ ଲିଟର କ୍ଷୀର ୨୬୩ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ପେଟ୍ରୋଲ ପମ୍ପରେ ଇନ୍ଧନ ପାଇଁ ଲୋକଙ୍କୁ ୨କିଲୋମିଟର ପର୍ଯ୍ୟନ୍ତ ଲାଇନ ଲଗାଇବାକୁ ପଡ଼ୁଥିବା ବେଳେ ଡିଜେଲ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ସେହିପରି ହସ୍ପିଟାଲଗୁଡ଼ିକରେ ଔଷଧ ଶେଷ ହୋଇଯିବାରୁ ଡାକ୍ତରମାନେ ରୋଗୀଙ୍କ ଅପରେଶନ ମଧ୍ୟ ବନ୍ଦ କରିଦେଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଦେଶରେ ଗୋଟିଏ କପ୍‌ର ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି। ସେହିପରି କଞ୍ଚାଲଙ୍କା କିଲୋ ପ୍ରତି ୭୦୦ ଟଙ୍କାରେ ବିକ୍ରି ହେଉଛି। ଏତଦ୍‌ ବ୍ୟତୀତ ଆଳୁ କିଲୋ ୨୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଚାଉଳ ଏବଂ ଚିନି କିଲୋ ପ୍ରତି ୨୯୦ ଟଙ୍କା ପହଞ୍ଚିଛି। କେବଳ ସେତିକି ନୁହେଁ ବର୍ତ୍ତମାନ ଅନେକ ସହରରେ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେଉଛି। ଏଭଳି ପରିସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ଏକ ବିଲିୟନ ଡଲାର ସହାୟତା ପ୍ରଦାନ କରିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଉପରେ ଅନେକ ଦେଶର ଋଣ ରହିଛି। ଏଠାରେ ଜାନୁଆରୀରୁ ବୈଦେଶିକ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ୨.୩୬ ବିଲିୟନ ଡଲାରରେ ପହଞ୍ଚିଛି। ଯାହା କ୍ରମାଗତ ଭାବରେ ହ୍ରାସ ପାଉଛି। ଫଳରେ ବୈଦେଶିକ ମୁଦ୍ରା ଅଭାବରୁ ଦେଶର ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ, ପେଟ୍ରୋଲ ଏବଂ ଡିଜେଲ ବିଦେଶରୁ ଆମଦାନୀ ହୋଇପାରୁନାହିଁ।

Share