ଶ୍ରୀଲଙ୍କା ସଙ୍କଟ: ଡାକ୍ତର କହିଲେ ରୋଗଠାରୁ ଦୂରେଇ ରୁହନ୍ତୁ, ଆହତ ହୁଅନ୍ତୁ ନାହିଁ

କଲମ୍ବୋ,୧୪ ।୭: ଆର୍ଥିକ ସଙ୍କଟର ଶିକାର ହୋଇଥିବା ଶ୍ରୀଲଙ୍କାର ମେଡିକାଲ ଢାଞ୍ଚା ବି ଏବେ ବଦଳିବାରେ ଲାଗିଛି । ହସ୍ପିଟାଲରେ କିଡ୍‌ନୀ, କ୍ୟାନସର ଭଳି ଜଟିଳ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ କଥା ପଚାରେ କିଏ, କାରଣ ସାଧାରଣ ରୋଗ ପାଇଁ ବି ଏବେ ସେଠାରେ ଔଷଧ ଶେଷ ହୋଇଯାଇଥିବା କୁହାଯାଉଛି, ଏହାକୁ ନେଇ ଚିକିତ୍ସା କରିବା ଲାଗି ଡାକ୍ତର ହାତ ଟେକି ଦେଉଛନ୍ତି । ଏବେ ଡାକ୍ତରମାନେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ରୋଗଠାରୁ ଦୂରେଇ ରୁହନ୍ତୁ ଆଉ ଆହତ ହେବାରୁ ମଧ୍ୟ ଦୂରେଇ ରୁହନ୍ତୁ, ନଚେତ ସେମାନଙ୍କୁ ବଞ୍ଚାଇବା କାଠିକର ପାଠ ହୋଇଯିବ ।
ସୂଚନାଯୋଗ୍ୟ, ଦେଶରେ ଆର୍ଥିକ ସଙ୍କଟ ଯୋଗୁ ଇନ୍ଧନ, ଖାଦ୍ୟ ସାମଗ୍ରୀ ଓ ଔଷଧ ବହୁ ପରିମାଣରରେ କମ୍ ହୋଇଯାଇଛି । କେତେଜଣ ଡାକ୍ତର ଜରୁରୀ ସାମଗ୍ରୀ କ୍ରୟ କରିବାକୁ ଦାନ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଅପିଲ କରୁଛନ୍ତି । ଏମାନେ ବିଦେଶରେ ରହୁଥିବା ଶ୍ରୀଲଙ୍କା ନାଗରିକଙ୍କୁ ସାହାଯ୍ୟ କରିବାକୁ ବି ଅପିଲ କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ଶେଷ ହେବାର କୌଣସି ସୂଚନା ଦେଖାଯାଉନାହିଁ । ଏପଟେ ଚିକିତ୍ସକମାନେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ଏମରଜେନ୍ସି ଲାଗୁ କରିବା କଥା ଉଠାଇଛନ୍ତି ।

Share