କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ହାଇଦ୍ରାବାଦ୍ ପକ୍ଷରୁ ପ୍ରଦତ୍ତ ୨୨୭ ରନ ଟାର୍ଗେଟର ପିଛା କରି କୋଲକାତା ୧୬ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହା ହାଇଦ୍ରାବାଦ୍ର ପ୍ରଥମ ବିଜୟ ହୋଇଥିବାବେଳେ କୋଲକାତାର ଏହା କ୍ରମାଗତ ଦ୍ୱିତୀୟ ପରାଜୟ।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସନରାଇଜର୍ସକୁ ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା ୫.୪ ଓଭରରେ ୮୨ ରନର ବିସ୍ଫୋରକ ଆରମ୍ଭ ଦେଇଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ହେଡ୍ (୨୧ ବଲ, ୪୬ ରନ, ୬ ଚୌକା ଓ ୩ ଛକା), ଅଭିଷେକ (୨୧ ବଲ, ୪୮ ରନ, ୪ ଲେଖାଏ ଚୌକା ଓ ଛକା), ଅଧିନାୟକ ଇଶାନ କିଶନ (୧୪ ରନ, ୩ ଚୌକା) ଓ ଅନିକେତ ବର୍ମା (୧)ଙ୍କ ଉଇକେଟ ହରାଇଥିଲା। ଏହାପରେ ହେନରିଚ୍ କ୍ଲାସେନ ଓ ନୀତୀଶ କୁମାର ରେଡ୍ଡୀ ପଞ୍ଚମ ଉଇକେଟରେ ୫୩ ବଲରେ ୮୨ ରନ ଯୋଡ଼ିଥିଲେ। ଫଳରେ ସନରାଇଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ କରିଥିଲା। କ୍ଲାସେନ ୩୫ ବଲରେ ୫୨ (୪ ଚୌକା ଓ ୧ ଛକା) ଓ ନୀତୀଶ ୨୪ ବଲରେ ୩୯ (୪ ଚୌକା ଓ ୧ ଛକା) ରନ କରି ଆଉଟ୍ ହୋଇଥିଲେ।
କୋଲକାତା ପାଇଁ ବ୍ଲେସିଂ ମୁଜରାବାନୀ ୪ ଓ ବୈଭବ ୨ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିବା କୋଲକାତା ୧୬ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ଅଙ୍ଗକ୍ରିଶ ରଘୁବଂଶୀ (୨୯ ବଲ, ୫୨ ରନ, ୬ ଚୌକା ଓ ୨ ଛକା) ଓ ରିଙ୍କୁ ସିଂ (୨୫ ବଲ, ୩୫ ରନ, ୪ ଚୌକା ଓ ୧ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାବିଆନ ଆଲେନ ୭ ବଲରେ ୨୮ (୪ ଚୌକା ଓ ୨ ଛକା) ରନ କରିଥିଲେ। ବିଜୟୀ ଦଳ ପାଇଁ ଜୟଦେବ ଉନାଡକଟ ୩ ଉଇକେଟ ନେଇଥିବା ବେଳେ ନୀତୀଶ କୁମାର ଓ ଇଶାନ ମାଲିଙ୍ଗା ୨ ଲେଖାଏ ଉଇକେଟ ହାତେଇଥିଲେ।

