Categories: ଖେଳ

ଡାଇମଣ୍ଡ ଲିଗ୍‌ରେ ନିରାଶକଲେ ଶ୍ରୀଶଙ୍କର

ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍‌ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି। ଡାଇମଣ୍ଡ ଲିଗ୍‌ରେ ପଦାର୍ପଣ କରିଥିବା ଶ୍ରୀଶଙ୍କରଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ୭.୯୪ ମିଟର ଦୂରକୁ ଡେଇଁବା ସହିତ ଷଷ୍ଠ ସ୍ଥାନରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଳ୍ପକେ ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିବା ଶ୍ରୀଶଙ୍କରଙ୍କ ନିକଟରୁ ପ୍ରଥମ ପଦାର୍ପଣରେ ପଦକ ଆଶା କରାଯାଉଥିଲା। ତେବେ ବୁଧବାର ରାତିରେ ଖେଳାଯାଇଥିବା ମୁକାବିଲାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନଠାରୁ ବେଶ୍‌ ଦୂରରେ ରହିଥିଲେ ଶ୍ରୀଶଙ୍କର। ୮.୩୬ ମିଟର ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବା ବେଳେ ରାଜ୍ୟଗୋଷ୍ଠୀରେ ସେ ୮.୦୮ ମିଟର ଡେଇଁଥିଲେ।
ଏହି ଇଭେଣ୍ଟ ସମୟରେ ପବନର ବେଗ ସାମାନ୍ୟ ଅଧିକ (୧ମି/ସେକେଣ୍ଡ) ଥିବାରୁ ଖେଳାଳିଙ୍କୁ ଡେଇଁବାରେ ଅସୁବିଧା ହୋଇଥିଲା। ଶ୍ରୀଶଙ୍କର ପ୍ରଥମ ପ୍ରୟାସରେ ୭.୬୧ ମିଟର ଡେଇଁଥିଲେ। ପରବର୍ତ୍ତୀ ଦୁଇ ପ୍ରୟାସରେ ୭.୮୪ ଓ ୭.୮୩ ମିଟର ଡେଇଁବା ସହିତ ଅଷ୍ଟମ ସ୍ଥାନକୁ ଖସିଥିଲେ। ଚତୁର୍ଥ ପ୍ରୟାସରେ ୭.୬୯ ଓ ୫ମ ପ୍ରୟାସରେ ୭.୯୪ ମିଟର ଡେଇଁବା ସହିତ ଷଷ୍ଠ ସ୍ଥାନରେ ରହିଥିଲେ। ଡାଇମଣ୍ଡ ଲିଗ୍‌ର ନିୟମ ଅନୁସାରେ ପ୍ରଥମ ୩ ସ୍ଥାନରେ ରହିଥିବା ଖେଳାଳିଙ୍କୁ ଷଷ୍ଠ ପ୍ରୟାସର ସୁଯୋଗ ମିଳିଥାଏ ା
ଫଳରେ ଶ୍ରୀଶଙ୍କରଙ୍କୁ ଅନ୍ତିମ ଜମ୍ପର ସୁଯୋଗ ମିଳିନଥାଏ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେକେଲ୍‌ ମାସୋ ୮.୩୫ମିଟରର ଡିଆଁ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗ୍ରୀସ୍‌ର ଟେଣ୍ଟୋଗୋଲୁ ମିଲିଟାଡିସ୍‌ ଏବଂ ଆମେରିକାର ମାର୍କ୍ୱିସ୍‌ ଡେଣ୍ଡି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଶ୍ରୀଶଙ୍କର ଲଉସାନ୍ନେ ଓ ସ୍ବିଜରଲାଣ୍ଡରେ ହେବାକୁ ଥିବା ପରବର୍ତ୍ତୀ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ମୁକାବିଲା ପରେ ୪ ପଏଣ୍ଟ ସହିତ ସେ ୧୦ମ ସ୍ଥାନରେ ରହିଛନ୍ତି ା

Share