ଏସ୍‌ପିଙ୍କ ବଡ଼ ବୟାନ: ଅପରାଧ ନିୟନ୍ତ୍ରଣରେ ପୋଲିସକୁ ମିଳୁଛି ସଫଳତା

ଭଞ୍ଜନଗର, ୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି। ଅପରାଧ ନିୟନ୍ତ୍ରଣ ସହ ହଜିଯାଇଥିବା ମୋବାଇଲ ଫୋନ୍‌ ଏବଂ ଚୋରି ସାମଗ୍ରୀ ଉଦ୍ଧାର କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି। ଶୁକ୍ରବାର ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଚତୁର୍ଥ ମୋବାଇଲ ଫୋନ୍‌ ମେଳାରେ ୫୦ଟି ଉଦ୍ଧାର ମୋବାଇଲ ଫୋନ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ହରିଶ ବି.ସି. ଯୋଗଦେଇ ଏହି ସୂଚନା ଦେଇଥିଲେ।

ଏସ୍‌ପିଙ୍କ କହିବା ଅନୁଯାୟୀ, ଗତବର୍ଷ ଗଞ୍ଜାମ ପୋଲିସ ଜିଲାରେ ୪୮ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୪ରେ ମଧ୍ୟ ସମାନ ସଂଖ୍ୟକ ହତ୍ୟାକାଣ୍ଡ ଘଟିଥିଲା। ମାତ୍ର ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ମାତ୍ର ୧୫ଟି ହତ୍ୟାକାଣ୍ଡ ଘଟିଛି। ହତ୍ୟା ସମେତ ଜିଲାର ଅନ୍ୟାନ୍ୟ ଅପରାଧିକ ମାମଲା ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଥିଲେ।

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ପୋଲିସ ପକ୍ଷରୁ ସୱତନ୍ତ୍ର ନଜର ରଖାଯାଇଛି। ଚୋରା ମଦ କାରବାର ସମେତ ଅନ୍ୟାନ୍ୟ ବେଆଇନ କାରବାରକୁ ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ତ୍ୱରିତ ଓ ଉପଯୁକ୍ତ ପୋଲିସ ସେବା ଯୋଗାଇଦେବାକୁ ଗଞ୍ଜାମ ପୋଲିସ ସର୍ବଦା ତତ୍ପର ରହିଛି। ଜନସାଧାରଣ ସଚେତନ ହେଲେ ବିଭିନ୍ନ ଅପରାଧ ଆହୁରି ହ୍ରାସ ପାଇପାରିବ ବୋଲି ଏସ୍‌ପି ମତବ୍ୟକ୍ତ କରିଥିଲେ। ଡିଜିଟାଲ ଯୁଗରେ ଲୋକେ ଅନେକ ସୁବିଧା ଅଳ୍ପ ସମୟ ମଧ୍ୟରେ ପାଇପାରୁଥିବା ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ଭଞ୍ଜନଗର ପୋଲିସ ୧୫୩ଟି ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଶୁକ୍ରବାର ଚୋରି ହୋଇଥିବା ଦୁଇଟି କାର୍‌, ଗୋଟିଏ ପାଣି ଟାଙ୍କି, ଗୋଟିଏ ଧାନକଟା ମେସିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ, ଏଏସ୍‌ପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍‌ଆଇ ଜୟଶ୍ରୀ ସାହୁ, ଏଲ୍‌. ମହାନ୍ତି, ସୁବ୍ରତ କୁମାର ଲେଙ୍କା, ସମୀର କୁମାର ସେଠୀ, ଏଏସ୍‌ଆଇ ସତ୍ୟନାରାୟଣ ମଲ୍ଲିକ, ଶରତ ଚନ୍ଦ୍ର ପଣ୍ଡା, ବିଦେଶୀ ବେହେରା ଓ କୁମୁନ୍ଦ ବନ୍ଧୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Share