କାଶୀପୁର ପରେ ଅନ୍ୟ ବ୍ଲକକୁ ବ୍ୟାପୁଛି: କଲ୍ୟାଣସିଂହପୁରରେ ୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାୟଗଡ଼ା ଅଫିସ,୨୯ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ନିୟନ୍ତ୍ରଣକୁ ଆସି ନ ଥିବାବେଳେ ନିକଟସ୍ଥ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଲାଣି। ବୁଡ଼ାଗୁଡ଼ା ପଞ୍ଚାୟତରୁ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଏବଂ ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି।
ଗୁରୁତୁଲୀ ଗାଁର ଲକି କୁଲେସିକା(୬୦) ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସିକରପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଥିଲେ। ଏହାପରେ ତାଙ୍କ ବୋହୁ ବାସନ୍ତୀ(୨୭) ଝାଡ଼ାବାନ୍ତିରେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ମଧ୍ୟରେ ଗୁରୁତୁଲୀ ଗାଁର ମୁତୁଲି କାଡ୍ରାକା(୬୦), ସଦାନନ୍ଦ ନିସିକା(୨୦), ସନମା ନାୟକ(୪୦), ଭୁବନ ଗୌଡ଼(୩୦), ବେଲକଣା ଗାଁର ଗିରଞ୍ଜଲି ନାୟକ (୧୧), କୃଷ୍ଣନଗରରୁ ବିଶ୍ୱନାଥ କାଲକା(୫୦) ରହିଛନ୍ତି। ବାରମ୍ବାର ଝାଡ଼ାବାନ୍ତି ହେବାରୁ ଏମାନଙ୍କୁ ଗୁରୁବାର ସନ୍ଧ୍ୟାରେ ସିକରପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗୁରୁତୁଲୀ ଗ୍ରାମରୁ ୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ପାଇ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଟିମ୍‌ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି। ଏ ନେଇ ସିଡିଏମ୍‌ଓ ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ବୀକାର କରିବା ସହ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି।