ନୂଆଦିଲ୍ଲୀ,୧୬।୧୦: ଟେନିସ ଜଗତରେ ମ୍ୟାଚ ଫିକ୍ସିଂକୁ ନେଇ ପୁଣି ଚର୍ଚ୍ଚା। ସର୍ବିଆର ଟେନିସ ଖେଳାଳି ସ୍ଟିଫନ ମିଲିସେଭିଚଙ୍କୁ ୨୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ସହ ଅନ୍ୟ ଖେଳାଳିଙ୍କୁ ଏକ ଦୁର୍ନୀତିଗ୍ରସ୍ତ ନେଟୱର୍କରେ ସାମିଲ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଏହା ସହ ତାଙ୍କ ଉପରେ ୭୦ ହଜାର ଆମେରିକୀୟ ଡଲାର ଜରିମାନା ମଧ୍ୟ ଲଗାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁଯାୟୀ, ମିଲିସେଭିଚକୁ ଉପରେ ୬ଟି ମ୍ୟାଚ ଫିକ୍ସ କରିଥିବା ଅଭିଯୋଗ ରହିଛି। ସେଥିମଧ୍ୟରୁ ୫ଟି ମ୍ୟାଚ୍ରେ ସେ ନିଜେ ଖେଳିଥିବା କୁହାଯାଉଛି। ଏହାବ୍ୟତୀତ, ୨୦୨୨ରୁ ୨୦୨୪ ମଧ୍ୟରେ ଆଉ ୬ଟି ମ୍ୟାଚ ଫିକ୍ସ କରିବାକୁ ଯୋଜନା ଥିବା ଅଭିଯୋଗ ମଧ୍ୟ ରହିଛି। ଅନ୍ୟ ଖେଳାଳିଙ୍କୁ ଏହି ନେଟୱର୍କ ସହ ଯୋଡ଼ିବାକୁ ସେ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟ ଟେନିସ ଇଣ୍ଟେଗ୍ରିଟି ଏଜେନ୍ସି (ITIA) ଏହି ମାମଲାର ତଦନ୍ତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଜେନ୍ସି ପକ୍ଷରୁ ୭ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ମିଲିସେଭିଚ ତଦନ୍ତରେ ସହଯୋଗ କରି ନ ଥିବା ଦାବି କରାଯାଇଛି। ତଦନ୍ତ ଶେଷ ହେବା ପରେ ତାଙ୍କୁ ଗୁରୁତର ଉଲ୍ଲଂଘନ ସମ୍ପର୍କରେ ନୋଟିସ ପଠାଯାଇଥିଲା। କିନ୍ତୁ ଏହାର ଉତ୍ତର ନମିଳିବା ପରେ ନିୟମ ଅନୁଯାୟୀ ଦଣ୍ଡ ଘୋଷଣା କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ଏହି ନିଷ୍ପତ୍ତି ଅନୁଯାୟୀ, ମିଲିସେଭିଚ କେବଳ ପେସାଦାର ଟେନିସ ଖେଳିବାରୁ ନୁହେଁ, ବରଂ କୋଚିଂ ଦେବା ଏବଂ ଟେନିସ ସହ ଜଡ଼ିତ ଅନୁମୋଦିତ କାର୍ଯ୍ୟକ୍ରମରେ ଭାଗ ନେବାରୁ ମଧ୍ୟ ବଞ୍ଚିତ ହେବେ। ATP, WTA ଓ ଜାତୀୟ ଟେନିସ ସଂଘ ଦ୍ୱାରା ଆୟୋଜିତ ଇଭେଣ୍ଟରେ ମଧ୍ୟ ସେ ଯୋଗ ଦେଇପାରିବେ ନାହିଁ। ଦଣ୍ଡ ୯ ଅକ୍ଟୋବର ୨୦୨୬ରୁ ଲାଗୁ ହୋଇ ଅକ୍ଟୋବର ୨୦୫୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।
ମ୍ୟାଚ ଫିକ୍ସିଂ ମାମଲାରେ ଫ୍ରାନ୍ସର ଟେନିସ ଖେଳାଳି କ୍ୱେଣ୍ଟିନ ଫୋଲିଓଟ୍ଙକୁ ମଧ୍ୟ ଦୀର୍ଘମିଆଦୀ ବାସନ୍ଦର ସାମ୍ନା କରିବାକୁ ପଡ଼ିଥିଲା। ରିପୋର୍ଟ ଅନୁଯାୟୀ, ୨୦୨୫ ଡିସେମ୍ବରରେ ତାଙ୍କୁ ୨୦ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ସେ ୨୦୨୨ରେ ନିଜ କ୍ୟାରିୟରର ସର୍ବୋଚ୍ଚ ରାଙ୍କିଂ ୪୮୮ରେ ପହଞ୍ଚିଥିଲେ।