ଦୁବାଇ,୨୩।୨: ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫିରେ ନିଜର ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମୁକାବିଲାକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି। ହେଲେ ଏହି ମ୍ୟାଚ୍ରେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ ନ ଖେଳବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯଦି ଏଭଳି ହୁଏ ତେବେ ଏହା ଦଳ ପାଇଁ ବଡ଼ ଝଟ୍କା ସାବ୍ୟସ୍ତ ହୋଇପାରେ।
ଶନିବାର ପାକିସ୍ତାନ ଟିମ୍ ଅଭ୍ୟାସ କରିଥିଲା। ପିସିବି ଅଧ୍ୟକ୍ଷ ମୋହସିନ ନକବୀ ମଧ୍ୟ ଦଳର ଆତ୍ମବିଶ୍ୱାସ ବଢ଼ାଇବା ଲାଗି ସେଠାରେ ଉପସ୍ଥିତ ଥିଲେ। ସମସ୍ତ ଖେଳାଳି ନେଟ୍ସରେ ନିଜର ଅଭ୍ୟାସ କରିଥିଲେ। ହେଲେ ସେହି ସମୟରେ ବାବର ନଜର ଆସି ନ ଥିଲେ। ଯାହାକୁ ନେଇ ଆଲୋଚନା ହେଉଛି।
ଭାରତ ବିପକ୍ଷ ମ୍ୟାଚ୍ଟି ପାକିସ୍ତାନ ଲାଗି କର ବା ମର ମ୍ୟାଚ୍। ଏହି ମ୍ୟାଚ୍ ହାରିଲେ ଉଭୟ ଟିମ୍ ଲାଗି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବା କଷ୍ଟକର ହୋଇଯିବ। ଗୁରୁତ୍ୱ ଦୃଷ୍ଟିରୁ ବାବର ଅଭ୍ୟାସ ଲାଗି ଉପଲବ୍ଧ ନ ଥିବାକୁ ନେଇ ପ୍ରଶ୍ନ ଉଠୁଛି। ଏଯାବତ ସେନେଇ ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଖବରଦାତା ସମ୍ମିଳନୀରେ ମଧ୍ୟ ଟିମ୍ର କୋଚ୍ ଆକିବ ଜାଭେଦ ସେନେଇ କୌଣସି କାରଣ ଦେଇ ନ ଥିଲେ।
ବାବରଙ୍କ ଫର୍ମ ଦେଖିଲେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମୁକାବିଲାରେ ସେ ୬୪ ରନ୍ର ଇନିଂସ ଖେଳିଥିଲେ। ହେଲେ ଏହା ବେଶ ଧିର ଥିଲା। ଏହାପୂର୍ବରୁ ଖେଳାଯାଇଥିବା ତ୍ରୀସ୍ତରୀୟ ସିରିଜରେ ସେ ସେତେଟା ଖାସ୍ ପ୍ରଦର୍ଶନ କରି ନ ଥିଲେ। ଏହି ସିରିଜର ତିନୋଟି ମ୍ୟାଚ୍ରେ ସେ କେବଳ ୬୨ ରନ୍ କରିଥିଲେ।
ଏହା ସତ୍ତ୍ୱେ ଯଦି ଭାରତ ବିପକ୍ଷ ମୁକାବିଲାରେ ବାବର ନ ଖେଳନ୍ତି ତେବେ ଦଳ ପାଇଁ ବଡ଼ ଝଟ୍କା ହୋଇପାରେ। କାରଣ ପୂର୍ବରୁ ଦଳରେ ଅନେକ ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏହାକୁ ନେଇ ଦଳ ଚାପରେ ଅଛି।


