Categories: ଖେଳ

ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍‌ଟେନ୍‌ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍‌ ପ୍ରାରମ୍ଭିକ ୩ ମ୍ୟାଚ୍‌ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍‌ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସରୁ ଟ୍ରେଡ୍‌ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲେ।ପାଣ୍ଡ୍ୟା ଯୁବ କ୍ରିକେଟର ହୋଇଥିବାରୁ ଦଳରେ ନୂଆ ଉର୍ଜା ଆଣିବେ ବୋଲି ମ୍ୟାନେଜମେଣ୍ଟ ଚିନ୍ତା କରିଥିଲା। ଗୁଜରାଟର ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ରେକର୍ଡ ପ୍ରଶଂସନୀୟ ଥିଲା। ହେଲେ ଏବେ ନୂଆ ଟିମ୍‌ର ନେତୃତ୍ୱ ନେବାରେ ସେ ଫେଲ୍‌ ହେବା ପରି ମନେ ହେଉଛନ୍ତି।

ହଠାତ୍‌ ରୋହିତଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦିଆଯିବାକୁ ନେଇ ଖୁସି ନାହାନ୍ତି ମୁମ୍ବାଇ ପ୍ରଶଂସକ। ଏବେ ଲଗାତର ପରାଜୟ ପ୍ରଶଂସକଙ୍କୁ ଆହୁରୀ ଖପ୍ପା କରିଛି। ସୋସିଆଲ ମିଡିଆରେ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ହେଉଛି। ଯଦି ପାଣ୍ଡ୍ୟା ଫେଲ ହୁଅନ୍ତି, ଚାପକୁ ଠିକ୍‌ ଭାବେ ତୁଲାଇପାରନ୍ତେ ନାହିଁ ତେବେ ସେ ଅଧିନାୟକ ପଦ ଛାଡ଼ିପାରନ୍ତି। ନଚେତ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କୁ ହଟାଇପାରେ। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ମୁମ୍ବାଇର ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପଦ ଲାଗି କିଛି ଦାବିଦାର ବାହାରିଛନ୍ତି,ଯିଏ ବିଜେତା ଟିମ୍‌ର ନେତୃତ୍ୱ ନେଇପାରିବେ।

-ରୋହିତ- ମୁମ୍ବାଇର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ସେ। ସେ ୫ ଥର ଦଳକୁ ଟୁର୍ନାମେଣ୍ଟରେ ବିଜେତା କରାଇଛନ୍ତି। ଏଣୁ ଯଦି ହାର୍ଦ୍ଦିକ ଫେଲ ହୁଅନ୍ତି ତେବେ ପୁଣିଥରେ ରୋହିତଙ୍କୁ ନେତୃତ୍ୱ ମିଳିପାରେ ବୋଲି କୁହାଯାଉଛି।

-ଜସପ୍ରିତ ବୁମ୍‌ରା: ବୁମ୍‌ରା ରୋହିତଙ୍କ ପରେ ମୁମ୍ବାଇର ସର୍ବଠାରୁ ପୁରୁଣା ଖେଳାଳି। ଆଇପିଏଲ୍‌ ୨୦୨୪ରେ ଟିମ୍‌ର ଉପଅଧିନାୟକ ମଧ୍ୟ ସେ ଅଛନ୍ତି। ସେ ଭଲ ବୋଲିଂ ସହ ନେତୃତ୍ୱ ନେବାର ଅନୁଭବ ରଖିଛନ୍ତି। ଏମିତିରେ ପାଣ୍ଡ୍ୟା ପଦ ଛାଡ଼ିଲେ ବୁମ୍‌ରା ତାଙ୍କ ସ୍ଥାନ ନିମନ୍ତେ ପ୍ରଥମ ପସନ୍ଦ ହୋଇପାରନ୍ତି।

-ତିଳକ ବର୍ମା: ତିଳକ ଯୁବ କ୍ରିକେଟର ଭାବେ ନିଜର ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏବେ ସେ ମୁମ୍ବାଇ ବ୍ୟାଟିଂରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏମ୍‌ଆଇର ମ୍ୟାନେଜମେଣ୍ଟ ଯଦି ଚେନ୍ନାଇ ଭଳି ଜଣେ ଯୁବ ଖେଳାଳିଙ୍କୁ ଦାୟିତ୍ୱ ଦେବା କଥା ବିଚାର କରେ ତେବେ ତିଳକ ସେହି ଭୂମିକାରେ ଫିଟ୍‌ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି।

-ସୂର୍ଯ୍ୟକୁମାର ଯାଦବ: ସୂର୍ଯ୍ୟକୁମାର ଟି୨୦ର ସବୁଠାରୁ ଅନୁଭବ ଖେଳାଳି। ସେ ସବୁଦିଗରୁ ଶଟ୍‌ ମାରିବାକୁ ସକ୍ଷମ। ଏବେ ସେ ଏନ୍‌ସିଏରେ ଫିଟ୍‌ ସାର୍ଟିଫିକେଟ ପାଇବାକୁ ଅପେକ୍ଷା କରିଛନ୍ତି। ଏଯାବତ ସେ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। ହେଲେ ଗତ ବର୍ଷ ସେ ଦଳର ନେତୃତ୍ୱ ନେଇଛନ୍ତି। ଏମିତିରେଯଦି ସେ ଫିଟ୍‌ ହୋଇଯାଆନ୍ତି ତେବେ ମୁମ୍ବାଇ ତାଙ୍କୁ ଅଧିନାୟକ କରିବା ଉପରେ ବିଚାର କରିପାରେ।

Share