Categories: ଫୁରସତ

ସ୍ପଞ୍ଜ୍‌ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର

ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍‌ ଛତୁ  ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ। ତେବେ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟର ବ୍ୟବସାୟୀ ହିମାଚଳ ପ୍ରଦେଶ ଆସିପାରୁ ନାହାଁନ୍ତି। ତେଣୁ ଛତୁର ଦାମ ଏବେ କମି ଅଢ଼େଇ ହଜାର ଟଙ୍କା ହୋଇ ଯାଇଛି। ଗତ ସପ୍ତାହରେ ଏହାର ଦାମ ୩ ହଜାର ଟଙ୍କା ଥିଲା। ଲକ୍‌ଡାଉନ୍‌ ଯୋଗୁ ସ୍ପଞ୍ଜ୍‌ ଛତୁ ବେପାର ମାନ୍ଦା ରହିଥିବା ବ୍ୟବସାୟୀ କହିଛନ୍ତି। ଏହି ଛତୁ ଔଷଧୀୟ ଗୁଣରେ ଭରପୁର। ଏହା ହିମାଚଳ ପ୍ରଦେଶର ଜଙ୍ଗଲରେ ପ୍ରାକୃତିକ ପରିବେଶରେ ବଢ଼ିଥାଏ। ସ୍ଥାନୀୟ ଲୋକେ ଏହାକୁ ସଂଗ୍ରହ କରି ବିକ୍ରି କରିଥାନ୍ତିି। ଏହି ଛତୁ ଖାଇଲେ ହାର୍ଟ ସମସ୍ୟା ଦୂର ହୋଇଥାଏ। ଏହା ସହିତ ଥଣ୍ଡା, ମେଦବହୁଳତା, ପ୍ରୋଷ୍ଟେଟ୍‌ ଏବଂ ସ୍ତନ କର୍କଟ, ଟ୍ୟୁମର ବୃଦ୍ଧି ଆଦି ଆଶଙ୍କା ଏହି ଛତୁ କମ୍‌ କରିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌-ବି, ସି, ଡି, କେ ଆଦି ରହିଥାଏ।

Share